ତିହିଡି: ଧାମନଗର ଉପନିର୍ବାଚନ ପାଇଁ ନିର୍ବାଚନ ବୀଗୁଲ ବାଜି ସାରିବା ପରେ ଆଜି କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବ ।
ସେପଟେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । କିନ୍ତୁ ବିଜୁ ଜନତା ଦଳ ପ୍ରାର୍ଥୀ କିଏ ହେବ ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନି ।
କଂଗ୍ରେସ ରେଡି । ବ୍ରଜରାଜନଗର ଭଳି ଧାମନଗର ସଂରକ୍ଷିତ ଆସନ ଉପନିର୍ବାଚନରେ ଆମ ଦଳ ବିଜେଡି ସହ ଲଢେଇ କରିବ । ଏଥିପାଇଁ ବୁଥ ଓ ପଞ୍ଚାୟତସ୍ତରରେ ଦଳ ଧାମନଗରରେ ସଂଗଠନ ଆରମ୍ଭ କରିଛି । ମଙ୍ଗଳବାର ଦଳ ପ୍ରାର୍ଥୀ ଘୋଷଣା କରିବ । ପର୍ଯ୍ୟବେକ୍ଷକଙ୍କ ଗସ୍ତ ପରେ ଜିଲ୍ଲା କମିଟି ସହିତ ଆଲୋଚନା କରି ଯେଉଁ ପ୍ରାର୍ଥୀ ତାଲିକା ଆମ ପାଖକୁ ଆସିଛି ତାହାକୁ ଆମେ ଏଆଇସିସିକୁ ପଠାଇ ଦେଇଛୁ । ପ୍ରାର୍ଥୀ ଘୋଷଣା ପରେ ଜୋରଦାର ପ୍ରଚାର ଦଳ ଆରମ୍ଭ କରିବ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସୋମବାର ଏକ ଜରୁରି ବୈଠକ ରାଜ୍ୟ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପୌରହିତ୍ୟରେ ଭୁବନେଶ୍ୱର କାର୍ଯ୍ୟାଳୟରେ ଆୟୋଜିତ ହୋଇଥିଲା । ଏଥିରେ ପ୍ରାକ୍ତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚଚନ୍ଦନ, ବରିଷ୍ଠ ନେତା ଶରତ ରାଉତ ପ୍ରମୁଖ ଯୋଗ ଦେଇଥିଲେ । କଂଗ୍ରେସର ସ୍କାନିଂ କମିଟି ତିନିଜଣଙ୍କ ନାମକୁ ସୁପାରିସ କରିଛି । ଏହି ତିନିଜଣଙ୍କ ନାମ ଏଆଇସିସି କମିଟିକୁ ଦିଆଯାଇଛି । ଅନନ୍ତ ସେଠୀ, ବାବା ହରେକୃଷ୍ଣ ସେଠୀ ଏବଂ ହୃଦାନନ୍ଦ ସେଠୀଙ୍କ ନାମ ଆଗରେ ରହିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି ।
ମଙ୍ଗଳବାର ଟିକଟ ଘୋଷଣା ପରେ ୧୪ରେ ନାମାଙ୍କନ ଦାଖଲ ହେବ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ୧୪ ତାରିଖ ପ୍ରାର୍ଥିପତ୍ର ଦାଖଲ ଦିନ କଂଗ୍ରେସ ତାର ଶକ୍ତି ଦେଖାଇବ ଜିଲ୍ଲାରେ । ସାରା ଭଦ୍ରକ ଜିଲ୍ଲାର ୭ଟି ବ୍ଲକର ନେତୃବୃନ୍ଦଙ୍କ ସହ ସାରା ଓଡିଶାର ପିସିସିର ନେତୃବୃନ୍ଦ ନାମାଙ୍କନ ରାଲିରେ ଯୋଗଦେଇ କର୍ମୀଙ୍କ ମନୋବଳ ବଢାଇବେ । ବିଜେପୁର ନିର୍ବାଚନ ଭଳି ଏଠାରେ ବିଜେଡି ସହ ଲଢେଇ କରିବ କଂଗ୍ରେସ ବୋଲି ଜିଲ୍ଲା ସଭାପତି ଘୋଷଣା କରିଛନ୍ତି ।
ବିଜେପି ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁତ୍ର ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞଙ୍କୁ ଦଳ ପ୍ରାର୍ଥୀ କରିଛି । ମଙ୍ଗଳବାର ସୂରଜ ପ୍ରାର୍ଥିପତ୍ର ଦାଖଲ କରିବେ । ଏଥିପାଇଁ ଦଳ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ବିଗତ ନିର୍ବାଚନରେ ବିଷ୍ଣୁ ତାଙ୍କ ପୈତୃକ ଘର ମଙ୍ଗରାଜପୁରର ଗ୍ରାମ ଦେବତୀଙ୍କ ଆଶିଷ ଭିକ୍ଷା କରି ନାମାଙ୍କନପତ୍ର ଦାଖଲ କରି ଆସୁଥିଲେ । ତେଣୁ ସୂରଜ ମଧ୍ୟ ଗ୍ରାମଦେବତୀ ଓ ବାପାଙ୍କ ସମାଧି ପୀଠରୁ ଆଶିଷ ଭିକ୍ଷା କରିବା ପରେ ମା’ ଭଦ୍ରକାଳୀ ପୀଠରେ ପହଞ୍ଚି ଆଶୀର୍ବାଦ ଲୋଡ଼ିବେ । ସେଠାରୁ ନିଜ ଶୁଭେଚ୍ଛୁ, ଦଳୀୟ କର୍ମକର୍ତ୍ତାଙ୍କ ସହ ଭଦ୍ରକ କୁଆଁସସ୍ଥିତ ବାସଭବନରେ ପହଞ୍ଚି ମା’ଙ୍କ ଆଶୀର୍ବାଦ ନେବା ପରେ ପଦଯାତ୍ରାରେ ନୂଆ ବସ୍ଷ୍ଟାଣ୍ଡ ନିକଟ ଦକ୍ଷୀଣ କାଳୀ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବେ । ପରେ ଏକ ଶୋଭାଯାତ୍ରାରେ ଯାଇ ୧୦ଟା ୩୦ରୁ ୧୧ଟା ମଧ୍ୟରେ ନାମାଙ୍କନପତ୍ର ଦାଖଲ କରିବେ । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ରାଜ୍ୟ ନେତା କାଳନ୍ଦୀ ସାମଲ, ଜିଲ୍ଲା ବିଜେପି ସଭାପତି ହେମନ୍ତ ପାଢ଼ୀ, ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ବରିଷ୍ଠ ନେତା ମନମୋହନ ସାମଲ, ଡା. ପ୍ରଦୀପ ନାୟକ, ବଦ୍ରିନାରାୟଣ ଧଳ, ମାଧବାନନ୍ଦ ମଲ୍ଲିକଙ୍କ ସମେତ ଉଭୟ ତିହିଡ଼ି ଓ ଧାମନଗର ବ୍ଲକ ବିଜେପିର ସମସ୍ତ ଛାମୁଆ ନେତା ଉପସ୍ଥିତ ରହିବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି।
ବିଜୁ ଜନତା ଦଳ ସୂର୍ଯ୍ୟବଂଶୀଙ୍କ ବିପକ୍ଷରେ କାହାକୁ ଟିକଟ ଦେବ ତାହାକୁ ନେଇ ଦ୍ୱନ୍ଦ୍ୱରେ ପଡିଛି । ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ସପକ୍ଷରେ ସବୁ ମହଲ ପ୍ରଶଂସା କରୁଥିଲେ ମଧ୍ୟ ନିଜ ଧର୍ମପତ୍ନୀ ସାଂସଦ ଥିବାରୁ ଗୋଟିଏ ପରିବାରକୁ ଦୁଇଟି ଟିକଟ୍ ଦେବା ସପକ୍ଷରେ ବିଜେଡି ନାହିଁ । ସେହିପରି ଉପ ନିର୍ବାଚନରେ ପରାଜିତ ପ୍ରାର୍ଥୀଙ୍କୁ ଟିକଟ୍ ଦେବା ସପକ୍ଷରେ ବି ଦଳ ନାହିଁ । ୨୦୧୯ ସାଧାରଣ ନିର୍ବାଚନରେ ରାଜେନ୍ଦ୍ର ଦାସ ବିଜେଡି ଟିକଟ୍ ପାଇ ବିଜେପି ପ୍ରାର୍ଥୀ ବିଷ୍ଣୁଙ୍କ ନିକଟରୁ ହାରିଥିବାରୁ ବାଲେଶ୍ୱର ଉପନିର୍ବାଚନ ଢାଞ୍ଚାରେ ତାଙ୍କୁ ଦଳ ଟିକେଟ୍ ଦେବା ସପକ୍ଷରେ ନାହିଁ । ତେଣୁ ଆଶାୟୀ ଅନ୍ୟ ୫ ନୂଆ ପ୍ରାର୍ଥୀଙ୍କ ମଧ୍ୟରୁ ଜଣକୁ ଖୋଜୁଛି । ବିଧାୟକ ବ୍ୟୋମକେଶ ରାୟଙ୍କ ଡାକ୍ତର ବନ୍ଧୁ ଲୋକ ସମ୍ପର୍କରେ ନଥିଲେ ମଧ୍ୟ ତାଙ୍କୁ ଆମଦାନୀ ନେତା ହିସାବରେ ଟିକଟ ଦେବାକୁ ଅବଗଣନା କରୁଛି ।
ସେହିପରି ନାରୀନେତ୍ରୀ ଦେବକୀ ଦାସଙ୍କ ନାମ ଜୋରଦାର ଆଲୋଚନା ହେଉଥିବା ବେଳେ ଆହୁରି ଜଣେ ନାରୀନେତ୍ରୀଙ୍କ ନାମ ବି ଶୁଣାଯାଉଛି । ୨୦୧୪ରେ ବିଜେଡି ସାଂସଦ ପ୍ରାର୍ଥୀ ଅର୍ଜୁନ ସେଠୀଙ୍କ ବିରୋଧରେ ଭାଜପା ଟିକଟରେ ସାଂସଦ ଭାବେ ଲଢି ଚର୍ଚ୍ଚିତ ଥିବା ଶରତ ଦାସ ଏବେ ୨୦୧୯ରୁ ବିଜେଡିରେ । ତାଙ୍କୁ ଦଳ ଟିକଟ ଦେଇପାରେ ବୋଲି କେତେକ କହୁଛନ୍ତି । ଅନ୍ୟପକ୍ଷରେ ଦଳିତ ନେତା ରାଜେନ୍ଦ୍ର ଜେନା ଓ ବିବେକାନନ୍ଦ ସାମଲଙ୍କ ନାମ ବି ତାଲିକାରେ ରହିଛି । ତଥାପି ମଧ୍ୟ ବିଜେଡି ରାଜୁ ନା ଶରତ ନା ଡାକ୍ତର ସଂଜୟ କାହାକୁ ଟିକଟ୍ ଦେବେ ଏଯାଏ ନିଷ୍ପତ୍ତି ନେଇ ପାରୁନି ।
