ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟର ଠିକା କର୍ମଚାରୀଙ୍କୁ ଖୁବଶୀଘ୍ର କିଛି ଖୁସି ଖବର ମିଳିପାରେ। ରାଜ୍ୟ ସରକାରଙ୍କ ତରଫରୁ ଦୀପାବଳୀ ପୂର୍ବରୁ ସେମାନଙ୍କୁ ଦୀପାବଳୀ ଭେଟି ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ଦୀର୍ଘ ଦିନ ଧରି ସ୍ଥାୟୀ ନିଯୁକ୍ତି ଦାବି କରି ଆସୁଥିବା ଏହି ଠିକା କର୍ମଚାରୀ ମାନଙ୍କୁ ଶେଷରେ ନବୀନ ନିବାସରୁ ଡାକରା ଆସିଛି। ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗୁରୁବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଠିକା କର୍ମଚାରୀ ସଂଘର ପ୍ରତିନିଧିଙ୍କ ମଧ୍ୟରେ ବୈଠକ ହେବ। ଏହି ବୈଠକରେ ସଂଘର ଦାବି ଉପରେ ଆଲୋଚନା କରାଯିବ ଓ କିଛି ନିଷ୍କର୍ଷ ବାହାରିବ ବୋଲି ଚର୍ଚ୍ଚା ହେଉଛି। ଠିକା କର୍ମଚାରୀଙ୍କ ଦାବିକୁ ରାଜ୍ୟ ସରକାର ଗ୍ରହଣ କରିପାରନ୍ତି, ସେଥିପାଇଁ ସଂଘର ବରିଷ୍ଠ ସଦସ୍ୟମାନଙ୍କୁ ନବୀନ ନିବାସରୁ ଡକରା ଆସିଥିବା କୁହାଯାଉଛି।
ଅନ୍ୟପଟେ ଆଉ ଦୁଇ ଦିନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ୬୭ତମ ଜନ୍ମଦିନ ପାଳନ କରିବେ। ଆଉ ନିଜ ଜନ୍ମଦିନ ପୂର୍ବରୁ ରାଜ୍ୟର ୭୦୦୦୦ ଠିକା କର୍ମଚାରୀଙ୍କୁ ନବୀନ କିଛି ଉପହାର ଦେଇ ପାରନ୍ତି। ବୋଧ ହୁଏ ସେଥିପାଇଁ ଗୁରୁବାର ରାଜ୍ୟ ଠିକା କର୍ମଚାରୀ ସଙ୍ଘର ପ୍ରତିନିଧିଙ୍କୁ ନବୀନ ନିବାସରୁ ଡାକରା ଆସିଛି। ରାଜ୍ୟ ସରକାର ସବୁବେଳେ ସର୍ପ୍ରାଇଜ ଦେବାରେ ପାରଙ୍ଗମ। ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଓ ଦୀପାବଳି ପୂର୍ବରୁ ଠିକା କର୍ମଚାରୀଙ୍କ ଦାବି ଉପରେ ଚୂଡାନ୍ତ ନିଷ୍ପତ୍ତି ନେବା ପାଇଁ ଯୋଜନା କରିଛନ୍ତି। ଆନ୍ଦୋଳନକୁ ସ୍ଥଗିତ ରଖିବାର ମାସେ ପରେ ସରକାର ଙ୍କ ସହିତ ସଂଘର ଆଲୋଚନାର ବାଟ ଫିଟିଛି।
ଅନେକ ଥର ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଥିବା ଠିକା କର୍ମଚାରୀ ସଙ୍ଘ ପ୍ରଥମ ଥର ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ପ୍ରତ୍ୟେକ୍ଷ ଭାବେ ନିଜର ଦାବି ଉପସ୍ଥାପନ କରିବେ। ଆଉ ରାଜ୍ୟ ମୁଖିଆ ଏହାକୁ ଗ୍ରହଣ କରିବାର ସମ୍ଭାବନା ମଧ୍ୟ ରହିଛି। କାରଣ ଆଉ ମାତ୍ର ଦେଢ ବର୍ଷ ପରେ ରାଜ୍ୟରେ ବିଧାନସଭା ଓ ଲୋକସଭା ନିର୍ବାଚନ ହେବାର ଅଛି। ଆଉ ସରକାର ତାଙ୍କର ଭୋଟରଙ୍କ ଏକ ବଡ ଭାଗକୁ ଅସନ୍ତୁଷ୍ଟ କରିବାକୁ ଚାହିଁବେ ନାହିଁ। ତେବେ ଏହା ପୂର୍ବରୁ ଧାମନଗର ଉପ ନିର୍ବାଚନ ମଧ୍ୟ ଅଛି। ତେଣୁ ଠିକା କର୍ମଚାରୀଙ୍କ ଆନ୍ଦୋଳନର ପ୍ରଭାବ ସେଠାରେ ମଧ୍ୟ ପଡିବାର ସମ୍ଭାବନା ରହିଛି। ତେଣୁ ଚାରିଆଡୁ ନିଜର କ୍ଷତି ଲାଭକୁ ମାପିଲା ପରେ ଠିକା କର୍ମଚାରୀଙ୍କ ଦାବିରେ ସରକାର ପୂର୍ଣ୍ଣଚ୍ଛେଦ ପକାଇବେ ବୋଲି କୁହାଯାଉଛି।
ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମ ଉଚ୍ଛେଦ ଏବଂ ଚୁକ୍ତି ସମୟକୁ ମୂଳ ଚାକିରିରେ ଯୋଗ ଆଦି ୨ଟି ମୁଖ୍ୟ ଦାବି ଦାବି ନେଇ ଠିକା କର୍ମଚାରୀମାନେ ଆନ୍ଦୋଳନ କରୁଛନ୍ତି। ପୂର୍ବରୁ ସରକାର ଜଣିଶୁଣି ସମୟ ଗଡାଇ ନେଉଛନ୍ତି। ତେବେ ଖୋଦ୍ ମୁଖ୍ୟମନ୍ତ୍ରୀ କିନ୍ତୁ ଏଥର ଆଲୋଚନା ପାଇଁ ଡାକିଛନ୍ତି। ଯଦି ଏଥର ଆମ ଦାବି ପୂରଣ ନ ହୁଏ ତେବେ ଆନ୍ଦୋଳନ ଜୋରଦାର ହେବବୋଲି ରାଜ୍ୟ ସରକାରୀ ଠିକା କର୍ମଚାରୀ ସଙ୍ଘ କହିଛି।
ସୂଚନାଯୋଗ୍ୟ ଯେ, ସରକାରଙ୍କ ଠିକା ନିଯୁକ୍ତି ନୀତି ଉଚ୍ଛେଦ ଦାବିରେ ଗତ ଅଗଷ୍ଟମାସରୁ ୭୦ ହଜାର ସରକାରୀ ଠିକା କର୍ମଚାରୀ ଆନ୍ଦୋଳନ କରୁଛନ୍ତି। ଗତ ସେପ୍ଟେମ୍ବର ୧୧ ତାରିଖରେ ଲୋକସେବା ଭବନ ଆଗରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାମ କରୁଥିବା ୪୦ ହଜାରରୁ ଉର୍ଦ୍ଧ ଠିକା କର୍ମଚାରୀ ବିକ୍ଷୋପ ପ୍ରଦର୍ଶନ କରିଥିଲେ।
