ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଧନ ସମ୍ପତ୍ତି ପାଇବା ଲୋଭରେ ଅନ୍ଧବିଶ୍ୱାସର ଶିକାର ହୋଇ କେରଳରେ ଦୁଇ ଜଣ ମହିଳାଙ୍କୁ ଦମ୍ପତି ବଳି ଦେଇଥିବା ମାମଲା ଚାରିଆଡ଼େ ହଇଚଇ ସୃଷ୍ଟି କରିଥିବା ବେଳେ ଏବେ ଆଉ ଏକ ସମାନ ମାମଲା ସାମ୍ନାକୁ ଆସିଛି। ଅନ୍ଧବିଶ୍ୱାସରେ ଅନ୍ଧ ହୋଇ ଜଣେ ବାପା ନିଜ ଜନ୍ମ କଲା ଝିଅକୁ ତନ୍ତ୍ର ସାଧନା କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗୁଜରାଟର ଗିର ସୋମନାଥ ଜିଲ୍ଲାର ଧାୱା ଗାଁରେ ଏଭଳି ହୃଦୟ ବିଦାରକ ଘଟଣା ଘଟି ଥିବା ସୂଚନା ମିଳିଛି। ଏଠାରେ ତାନ୍ତ୍ରିକ ବିଦ୍ୟା ଅଭ୍ୟାସ କରୁଥିବାବେଳେ ଜଣେ ବାପା ନିଜ ୧୪ ବର୍ଷୀୟ ଝିଅକୁ ବଳି ପକାଇଛି।
ମିଳିଥିବା ସୂଚନା ଅନୁସାରେ, ଝିଅ ଦେହରେ ଭୂତ ରହୁଥିବା ସନ୍ଦେହ କରି ତାକୁ ଘଉଡାଇବା ପାଇଁ ଅକ୍ଟୋବର ୧ରୁ ୭ ତାରିଖ ଯାଏଁ ପୂଜା ପାଠ କରିଥିଲା ଅଭିଯୁକ୍ତ ବାପା ଭାବେଶ। ତେବେ ଏହି ସାତ ଦିନର ପୂଜା ପାଠ ବେଳେ ନିଜ ଝିଅକୁ ଅକଥନୀୟ ନିର୍ଯାତନା ଦେଇଥିଲା ବାପା। ନାବାଳିକା ଜଣକୁ ଠେଙ୍ଗାରେ ଅତି ନିର୍ମମ ଭାବେ ମାଡ ମରାଯାଉଥିଲା। ତାକୁ ଖାଇବାକୁ ଦିଆଯାଉନଥିଲା। ଶେଷରେ ସପ୍ତମ ଦିନ ଝିଅର ବଳି ଦିଆଯାଇଥିଲା। ଏହା ପରେ ଝିଅର ମୃତଦେହକୁ କମ୍ବଳ ଏବଂ ପ୍ଲାଷ୍ଟିକରେ ଗୁଡ଼ାଇ ଶ୍ମଶାନକୁ ନେଇ ଶବଦାହ କରାଯାଇଥିଲା। ଫଳରେ ଏହି ଘଟଣା ବିଷୟରେ କେହି ଜାଣି ପାରିନଥିଲେ। ଏସବୁ କାଣ୍ଡ ଘଟାଇବାରେ ଝିଅର ଦାଦା ମଧ୍ୟ ଅଭିଯୁକ୍ତ ବାପାର ସାଥ ଦେଇଥିଲା।
ତେବେ ଘଟଣାର କିଛି ଦିନ ପରେ ଭାବେଶ ତା’ ଝିଅକୁ ତନ୍ତ୍ର ସାଧନା କରି ହତ୍ୟା କରିଥିବା ନେଇ କେହି ଜଣେ ପୁଲିସକୁ ଫୋନ୍ କରି ଜଣାଇଥିଲେ। ପୁଲିସର ଏକ ଟିମ୍ ଗାଁରେ ପହଞ୍ଚି ଭାବେଶଙ୍କ ଘରେ ଛାନ ଭିନ୍ କରିଥିଲା। ଏହାପରେ ପୂରା ଘଟଣା ସାମ୍ନାକୁ ଆସିଥିଲା।
ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଗୁଣି ଗାରେଡି ତଥା ତନ୍ତ୍ର ସାଧନା କରି ନିଜ ୧୪ ବର୍ଷର ଝିଅ ଧୈର୍ଯ୍ୟକୁ ବାପା ଭାବେଶ ହତ୍ୟା କରିଛି। ହତ୍ୟା ପରେ ଝିଅକୁ ପ୍ରଥମେ ମାଟି ତଳେ ପୋତା ଯାଇଥିଲା। ଏହାପରେ ମାଟି ଭିତରୁ ବାହାର କରି ଝିଅର ଶବକୁ ପୋଡି ଦିଆଯାଇଛି। ଏହି ମାମଲରେ ପୁଲିସ ଅଭିଯୁକ୍ତ ବାପା ଭାବେଶ ଓ ଭାବେଶର ଭାଇ ଦୀଲିପକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।
