ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସାରା ଦେଶରେ ଏବେ ହିଜାବ ବିବାଦକୁ ନେଇ ଚର୍ଚ୍ଚା ଚାଲିଛି। ଏତିକିବେଳେ ଏହି ଘଟଣାକୁ ନେଇ ଏକ ବଡ଼ ବିବୃତ୍ତି ଦେଇଛନ୍ତି ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜ। ପୁରୁଷମାନେ ସେମାନଙ୍କ ମନକୁ ଦୃଢ଼ କରନ୍ତୁ ଓ ମହିଳାମାନଙ୍କୁ ହିଜାବରୁ ମୁକ୍ତ କରନ୍ତୁ ବୋଲି ଅନୀଲ ଟ୍ୱିଟ କରି କହିଛନ୍ତି।

ତେବେ ଉଲ୍ଲେଖନୀୟ କଥା ହେଉଛି, ହିଜାବ ବିବାଦ ଉପରେ ଆଜି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଆସିବା ପୂର୍ବରୁ ଅନୀଲ ଏହାକୁ ଟୁଇଟ୍ କରିଥିଲେ। ହରିୟାଣା ଗୃହମନ୍ତ୍ରୀ ଏକ ଟୁଇଟ୍‌ରେ କହିଛନ୍ତି ଯେ, ଯେଉଁ ପୁରୁଷମାନଙ୍କ ମନ ମହିଳା ମହିଳାଙ୍କୁ ଦେଖି ଆକର୍ଷିତ ହେଉଛି, ସେହିମାନେ ହିଁ ମହିଳାଙ୍କୁ ହିଜାବ ପିନ୍ଧିବାକୁ ବାଧ୍ୟ କରୁଛନ୍ତି। ସେମାନଙ୍କ ମନକୁ ମଜବୁତ କରିବାର ଆବଶ୍ୟକତା ଥିଲା କିନ୍ତୁ ଏଥିପାଇଁ ମହିଳାମାନଙ୍କୁ ଦଣ୍ଡ ଦିଆଗଲା। ସେମାନଙ୍କୁ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ଆଚ୍ଛାଦନ କରିଦେଲେ। ଏହା ସମ୍ପୂର୍ଣ୍ଣ ଅନ୍ୟାୟ ଅଟେ। ଅନୀଲ ନିଜ ଟ୍ୱିଟରେ ପରାମର୍ଶ ଦେଇଛନ୍ତି ଯେ, ‘ପୁରୁଷମାନେ ସେମାନଙ୍କର ମନକୁ ମଜବୁତ କରନ୍ତୁ ଓ ମହିଳାମାନଙ୍କୁ ହିଜାବରୁ ମୁକ୍ତି ଦିଅନ୍ତୁ।’

ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀ ମାସରୁ ହିଜାବ ବିବାଦ ଆରମ୍ଭ ହୋଇଥିଲା । କର୍ଣ୍ଣାଟକ ଉପୁଡି ଜିଲ୍ଲାରେ କିଛି ଛାତ୍ରୀ ହିଜାବ ପିନ୍ଧି ସ୍କୁଲକୁ ଆସିବା ପରେ ଦେଖାଦେଇଥିଲା ବିବାଦ । ପରେ ସାରା ରାଜ୍ୟକୁ ଏହି ବିବାଦ ବ୍ୟାପିଥିଲା । ମୁସଲିମ୍‌ ଛାତ୍ରୀମାନେ ସ୍କୁଲକୁ ହିଜାବ ପିନ୍ଧି ଆସି ପାରିବେ ନାହିଁ ବୋଲି ଗତ ଫେବ୍ରୁଆରୀ ୫ ତାରିଖରେ କର୍ଣ୍ଣାଟକ ସରକାର ନିର୍ଦ୍ଦେଶନାମା ଲାଗୁ କରିଥିଲେ । ଏହାକୁ ବିରୋଧ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କିଛି ମୁସଲିମ୍‌ ଛାତ୍ରୀ । ଗତ ମାର୍ଚ୍ଚ ମାସରେ ହାଇକୋର୍ଟ ରାଜ୍ୟ ସରକାରଙ୍କ ଆଦେଶକୁ କାଏମ ରଖିଥିଲେ । ପରେ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ଆଜି ଏହି ମାମଲାରେ ସୁପ୍ରିମକୋର୍ଟର ଦୁଇଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ତେବେ ରାୟ ନେଇ ଉଭୟ ବିଚାରପତିଙ୍କ ମଧ୍ୟରେ ସହମତି ନହେବାରୁ ମାମଲଟିକୁ ପ୍ରଧାନ ବିଚାରପତିଙ୍କ ବେଞ୍ଚକୁ ପଠାଇ ଦିଆଯାଇଛି।