ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କେନ୍ଦ୍ରର ମୋଦୀ ସରକାରଙ୍କ ଜଣେ ବଡ଼ ସମାଲୋଚକ ଭାବେ ଜଣାଶୁଣା ସାମ୍ବାଦିକା ରାଣା ଆୟୁବଙ୍କ ନାମରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚାର୍ଜସିଟ୍ ଦାଖଲ କରିଛି। ଲୋକଙ୍କୁ ଠକିବା ତାଙ୍କର ଏକମାତ୍ର ଲକ୍ଷ୍ୟ ବୋଲି ପିଏମଏଲ୍ (ପ୍ରିଭେନସନ ଅଫ ମନି ଲଣ୍ଡରିଂ) ଆଇନ ଅଧୀନରେ ଉତ୍ତରପ୍ରଦେଶର ଏକ ଅଦାଲତରେ ଇଡି ଦାଖଲ କରିଥିବା ଚାର୍ଜସିଟରେ ଦର୍ଶାଇଛି।ଲୋକଙ୍କୁ ସେବା ଯୋଗାଇବା ଆଳରେ ସେ ବେଆଇନ ଭାବେ ଜନସାଧାରଣଙ୍କ ଠାରୁ ଟଙ୍କା ସଂଗ୍ରହ କରିଥିବା ଅଭିଯୋଗରେ ଉତ୍ତର ପ୍ରଦେଶ ପୁଲିସ ୨୦୨୧ରେ ତାଙ୍କ ନାମରେ ଏକ ଏଫଆଇଆର ରୁଜୁ କରିଥିଲା। ସେହି ଏଫଆରଆର ଆଧାରରେ ଇଡି ଉକ୍ତ ମାମଲାର ତଦନ୍ତ କରୁଛି।
ଇଡି ପକ୍ଷରୁ ଅଭିଯୋଗ କରାଯାଇଛି ଯେ ସେ ୩ଟି କମ୍ପାନି ଆରମ୍ଭ କରି ତାହା ଜରିଆରେ ଟଙ୍କା ସଂଗ୍ରହ କରିଥିଲେ। ଅନଲାଇନ୍ କ୍ରାଉଡଫଣ୍ଡିଂ ପ୍ଲାଟଫର୍ମ କେଟୋ ମାଧ୍ୟମରେ ସେ ଅର୍ଥ ଆଦାୟ କରିଥିଲେ। ରାଣା ଯେଉଁ ତିନିଟି ଅଭିଯାନ ଚଳାଇ ଅର୍ଥ ଲୋକଙ୍କ ଠାରୁ ଆଣିଥିଲେ ସେଗୁଡ଼ିକ ହେଲା ବସ୍ତିବାସିନ୍ଦା ଓ କୃଷକଙ୍କ ପାଇଁ ପାଣ୍ଠି (୨୦୨୦ ଏପ୍ରିଲ-ମେ’); ଆସାମ, ବିହାର ଓ ମହାରାଷ୍ଟ୍ର ଲୋକଙ୍କ ପାଇଁ ରିଲିଫ କାର୍ଯ୍ୟ (୨୦୨୦ ଜୁନ-ସେପ୍ଟେମ୍ବର) ଏବଂ କୋଭିଡରେ ପ୍ରଭାବିତ ଭାରତୀୟଙ୍କୁ ସହାୟତା ଯୋଗାଇବା (୨୦୨୧ ମେ’-ଜୁନ)। ରାଣା ୮୦.୪୯ ଲକ୍ଷ ଲୋକଙ୍କ ଠାରୁ ୨.୬୯ କୋଟି ଟଙ୍କା ଆଦାୟ କରିଥିଲେ। ତେବେ ଏଫସିଆରଏ ଉଲ୍ଲଂଘନ କରାଯାଇ ବିଦେଶରୁ ପାଣ୍ଠି ସଂଗ୍ରହ ହୋଇଥିବାରୁ ଆୟକର ବିଭାଗ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିବାରୁ ବିଦେଶୀ ଅର୍ଥକୁ ସେ ପରେ ଫେରାଇ ଦେଇଥିଲେ।
ଇଡିର ଅଭିଯୋଗ ଅନୁଯାୟୀ, ରାଣା ଅନଲାଇନରେ ରାଣା ଯେଉଁ ପାଣ୍ଠି ସଂଗ୍ରହ କରିଥିଲେ ତାହା ପ୍ରଥମେ ତାଙ୍କ ଭଉଣୀ ଏବଂ ବାପାଙ୍କ ଆକାଉଣ୍ଟରେ ଜମା କରାଯାଇଥିଲା। ପରେ ତାହା ତାଙ୍କ ଆକାଉଣ୍ଟକୁ ପଠାଯାଇଥିଲା। ସେଥିରୁ ସେ ନିଜ ପାଇଁ ୫୦ ଲକ୍ଷ ଟଙ୍କାର ଫିକ୍ସଡ ଡିପୋଜିଟ୍ ରଖିଥିଲେ ଏବଂ ଆଉ ୫୦ ଲକ୍ଷ ଟଙ୍କା ସେ ଅନ୍ୟ ଏକ ଆକାଉଣ୍ଟକୁ ପଠାଇଥିଲେ। କେବଳ ୨୯ ଲକ୍ଷ ଟଙ୍କା ରିଲିଫରେ ବିନିଯୋଗ ହୋଇଥିଲା। ରିଲିଫ କାର୍ଯ୍ୟରେ ଅଧିକ ବ୍ୟୟ ଦର୍ଶାଇବା ପାଇଁ ସେ ମିଛ ବିଲ୍ ଦାଖଲ କରିଥିଲେ। ସୂଚନାଯୋଗ୍ୟ ଇଡି ଚଳିତବର୍ଷ ଫେବ୍ରୁଆରିରେ ରାଣା ଆୟୁବଙ୍କ ୧.୭୭ କୋଟି ଟଙ୍କା ଜବତ କରିଥିଲା। ସେଥିରେ ୫୦ ଲକ୍ଷ ଟଙ୍କାର ଫିକ୍ସଡ ଡିପୋଜିଟ୍ ରହିଛି।
ତେବେ ଇଡିର ଚାର୍ଜସିଟ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଣା। ସେ କହିଛନ୍ତି ଯେ, ମୋ କଲମ କଦାପି ନିରବ ହେବନାହିଁ। ମଜାର ବିଷୟ ହେଲା ଭାରତରେ ମୁକ୍ତ ଗଣମାଧ୍ୟମ ଉପରେ ହେଉଥିବା ଆକ୍ରମଣ ସଂପର୍କରେ ଗତକାଲି ମୁଁ ଏକ ଆଲୋଚନାଚକ୍ର ଏଠାରେ ଆୟୋଜନ କରିଥିଲି। ଦେଶରେ ଅବହେଳିତ ବର୍ଗଙ୍କ ବିରୋଧରେ ହେଉଥିବା କାର୍ଯ୍ୟାନୁଷ୍ଠାନ ବିରୋଧରେ ମୁଁ ଉଠାଇଥିବା ସ୍ବରକୁ ଜାରି ରଖିବି। ମନି ଲଣ୍ଡରିଂ ଅଭିଯୋଗ ତାଙ୍କ ବିରୋଧରେ ଏକ ମିଛ ପ୍ରଚାର ବୋଲି ଏବେ ଆମେରିକାରେ ଥିବା ରାଣା କହିଛନ୍ତି।