ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବଲାଙ୍ଗୀର ଜିଲ୍ଲାର ଚାଷୀଙ୍କୁ ଫସଲ ବୀମା ସହାୟତା ପ୍ରଦାନ ଦାବିରେ ଶୁକ୍ରବାର ଟିଟିଲାଗଡ଼ ରେଳ ଷ୍ଟେସନଠାରେ ଚାଷୀଙ୍କ ପକ୍ଷରୁ ରେଳରୋକ କରି ଆନ୍ଦୋଳନ କରାଯାଇଛି। ଜିଲ୍ଲାର ହଜାର ହଜାର ସଂଖ୍ୟାରେ ଚାଷୀ ସ୍ଥାନୀୟ ଟିଟିଲାଗଡ ହାଇସ୍କୁଲ ପଡ଼ିଆରୁ ଏକ ଶୋଭାଯାତ୍ରାରେ ବାହାରି ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ଏପରିକି ଟିଟଲାଗଡ ଷ୍ଟେସନରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେହି ସମୟରେ ପୋଲିସ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା।
ଏପରିକି ଆନ୍ଦୋଳନରତ ଚାଷୀ ମାନେ ପୋଲିସର ୩ଟି ବ୍ୟାରିକେଡ ଅତିକ୍ରମ କରି ଷ୍ଟେସନରେ ପହଞ୍ଚିଥିଲେ ଓ ରେଳରୋକ କରିଥିଲେ। ପୂର୍ବ ଚେତାବନୀକୁ ନେଇ ରେଳ ବିଭାଗ ପକ୍ଷରୁ କିଛି ଟ୍ରେନକୁ ବାତିଲ କରାଯାଇଥିଲା। ତେବେ ଷ୍ଟେସନ ଛାଡିବାକୁ ଥିବା ରାୟପୁର-ବିଶାଖାପାଟଣା ଯାତ୍ରୀବାହୀ ଟ୍ରେନକୁ ଆନ୍ଦୋଳନକାରୀ ମାନେ ଅଟକାଇଥିଲେ। ଫଳରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଆନ୍ଦୋଳନରେ ଜିଲ୍ଲା କୃଷକ ମହାସଂଘ ସଭାପତି ଯତି ପଧାନଙ୍କ ସମେତ ସଂଘର ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ।
