ମାଲକାନଗିରି, (ସତ୍ୟପାଠବ୍ୟୁରୋ): ମାଲକାନଗିରି ଜିଲ୍ଲାରେ ତୁହାକୁ ତୁହା ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗତ କିଛି ଦିନ ଧରି ଜିଲ୍ଲାରେ ଲଗାତାର ବର୍ଷା ହେଉଥିବାରୁ ବିଭିନ୍ନ ନଦୀ ଓ ନାଳର ଜଳସ୍ତର ବୃଦ୍ଧି ପାଇଛି। ଏହାର ପ୍ରଭାବରେ ମାଲକାନଗିରିରୁ ମୋଟୁକୁ ସଂଯୋଗ କରୁଥିବା ୩୨୬ ନଂ ଜାତୀୟ ରାଜପଥର ପୋଟେରୁ ବ୍ରିଜ୍ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ବ୍ରିଜ୍ ଉପରେ ପ୍ରାୟ ଏକ ଫୁଟ ଉଚ୍ଚରେ ପାଣି ଚାଲୁଥିବାରୁ ମାଲକାନଗିରି-ମୋଟୁ ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବ୍ରିଜ୍ର ଉଭୟ ପାର୍ଶ୍ୱରେ ଗାଡ଼ି ଅଟକି ରହିଥିବା ବେଳେ ଯାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଜିଲ୍ଲା ପ୍ରଶାସନର ତଥ୍ୟ ଅନୁଯାୟୀ, ୧୨ ତାରିଖ ସକାଳ ୮ଟା ପର୍ଯ୍ୟନ୍ତ ଜିଲ୍ଲାରେ ମୋଟ ୮୦୪.୧ ମିଲିମିଟର ବର୍ଷା ହୋଇଥିବା ବେଳେ ହାରାହାରି ବର୍ଷାପାତ ୧ ୧ ୪.୮୭ ମିଲିମିଟର ରହିଛି। ଏହି ସମୟରେ ମାଲକାନଗିରି ବ୍ଲକରେ ୧୩୬. ୮ ମିମି, ମାଥିଲି ବ୍ଲକରେ ୮୫ ମିମି, କୋରୁକୋଣ୍ଡା ବ୍ଲକରେ ୧୩୪ ମିମି, ଖଇରପୁଟ ବ୍ଲକରେ ୧୪୨ ମିମି, କାଲିମେଳା ବ୍ଲକରେ ୮୫ ମିମି, ପଡିଆ ବ୍ଲକରେ ୨୯.୩ ମିମି ଓ ଚିତ୍ରକୋଣ୍ଡା ବ୍ଲକରେ ସର୍ବାଧିକ ୧୯୨ ମିମି ବର୍ଷା ହୋଇଥିବା ରେକର୍ଡ ହୋଇଛି। ଅନ୍ୟପକ୍ଷରେ ପୋଟେରୁ, କନ୍ୟାଶ୍ରମ, କାଙ୍ଗୁରୁକୋଣ୍ଡା, ଏମ୍ଭି-୯୦, ଏମ୍ଭି-୭, ଏମ୍ଭି-୭୨ ଓ ପାଙ୍ଗାମ୍ ବ୍ରିଜ୍ ନିକଟରେ ଦୀର୍ଘଦିନ ଧରି ଉଚ୍ଚ ବ୍ରିଜ୍ ନିର୍ମାଣ କାମ ଚାଲୁ ରହିଛି। ଲଗାଣ ବର୍ଷା ସମୟରେ ଏହି ସ୍ଥାନଗୁଡ଼ିକରେ ଯାତାୟାତ ବ୍ୟବସ୍ଥା ଅଧିକ ବିପର୍ଯ୍ୟସ୍ତ ହେବାର ଆଶଙ୍କା ରହିଛି। ଏହାର ପ୍ରଭାବରେ ଜିଲ୍ଲାର ପ୍ରାୟ ୪୦ରୁ ଅଧିକ ପଞ୍ଚାୟତ ସହ ଯୋଗାଯୋଗ ବିଚ୍ଛିନ୍ନ ହେବାର ଆଶଙ୍କା ପ୍ରକାଶ ପାଇଛି। ଅପରପକ୍ଷରେ ବର୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍କୁଲ ଛୁଟି ଘୋଷଣା କରାଯାଇଛି। ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଓ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗକୁ ନଜରରେ ରଖି ଏଭଳି ଜରୁରୀ ନିର୍ଦ୍ଦେଶ ଜାରି କରାଯାଇଛି । ଜିଲ୍ଲାର ସମସ୍ତ ହେଡ୍ମାଷ୍ଟର ବା ପ୍ରଧାନଶିକ୍ଷକଙ୍କୁ ଏବେ ତୁରନ୍ତ ସ୍କୁଲ୍ ବନ୍ଦ କରିବାକୁ କୁହାଯାଇଛି। ନିର୍ଦ୍ଦେଶ ଅନୁସାରେ, ସ୍କୁଲ୍ରେ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ସେମାନଙ୍କ ଘରକୁ ପଠାଇବାକୁ ପଡ଼ିବ। ଏଥିପାଇଁ ଅଭିଭାବକଙ୍କ ସହ ସମନ୍ୱୟ ରଖି ପିଲାମାନଙ୍କୁ ଘରକୁ ପଠାଇବାକୁ କୁହାଯାଇଛି। ବିଶେଷକରି ବର୍ଷା ଯୋଗୁଁ ନଦୀ, ନାଳ ଓ ତଳିଆ ଅଞ୍ଚଳରେ ଜଳସ୍ତର ବଢ଼ିବାର ଆଶଙ୍କା ଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ଏହି ନିର୍ଦ୍ଦେଶକୁ ଜରୁରୀ ଓ ଗୁରୁତ୍ୱପୂର୍ଣ୍ଣ ବୋଲି ଦର୍ଶାଇଛନ୍ତି ମାଲକାନଗିରି ଜିଲ୍ଲା ଶିକ୍ଷା ଅଧିକାରୀ। ତେଣୁ ସମସ୍ତ ସ୍କୁଲ୍ କର୍ତ୍ତୃପକ୍ଷ ତୁରନ୍ତ ଏହି ନିର୍ଦ୍ଦେଶ ପାଳନ କରିବା ସହ ପିଲାଙ୍କୁ ସୁରକ୍ଷିତ ଭାବେ ଘରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇଛନ୍ତି ।
