ନୂଆଦିଲ୍ଲୀ: ନୂଆଦିଲ୍ଲୀ ସ୍ଥିତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଭବନରୁ ଉଦ୍ଧାର ହେଲା ସାପ । ଗୁରୁବାର ଦିନ ‘ୱାଇଲ୍‌ଡ୍‌ଲାଇଫ୍‌ ଏସ୍‌ଓଏସ୍‌’ର ସଦସ୍ୟମାନେ ସାପକୁ ଉଦ୍ଧାର କରିଛନ୍ତି।

ବନ୍ୟପ୍ରାଣୀ ସଂରକ୍ଷଣ ଓ ସୁରକ୍ଷା ପ୍ରତି ଉତ୍ସର୍ଗୀକୃତ ‘ଏନ୍‌ଜିଓ’ ‘ୱାଇଲ୍‌ଡ୍‌ଲାଇଫ୍‌ ଏସ୍‌ଓଏସ୍‌’ର ବିବୃତିକୁ ଉଦ୍ଧାର କରି ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’ ରିପୋର୍ଟ କରିଛି: ଗୁରୁବାର ସକାଳେ ନୂଆଦିଲ୍ଲୀସ୍ଥିତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଭବନ ପରିସରରେ ଗୋଟାଏ ଧଣ୍ଡସାପ ଦେଖି ନିରାପତ୍ତା କର୍ମଚାରୀମାନେ ଇତଃସ୍ତତଃ ହୋଇଯାଇଥିଲେ। ଗାର୍ଡରୁମ୍‌ ନିକଟରେ ଉକ୍ତ ସରୀସୃପଟିକୁ ଦେଖି ସେମାନେ ତୁରନ୍ତ ‘ୱାଇଲ୍‌ଡ୍‌ଲାଇଫ୍‌ ଏସ୍‌ଓଏସ୍‌’ର ୨୪x୪ ‘ହେଲ୍‌ପ୍‌ଲାଇନ୍‌’ ନମ୍ବରକୁ ଫୋନ୍‌ କରିଥିଲେ।

ତତ୍‌କ୍ଷଣାତ୍‌ ଉଦ୍ଧାର ଉପକରଣ ଧରି ଦୁଇଜଣିଆ ଉଦ୍ଧାରକାରୀ ଟିମ୍‌ ସାପଟିକୁ ଉଦ୍ଧାର କରିବାକୁ ଧାଇଁ ଯାଇଥିଲେ। ସେତେବେଳକୁ ସାପଟି ଗାର୍ଡରୁମ୍‌ ଚଉହଦି ଥିବା କାଠପଟା ମଧ୍ୟସ୍ଥ ଫାଟ‌ର ବହୁ ଭିତରକୁ ପଶିଯାଇଥିଲା।

୫ ଫୁଟ୍‌ ଲମ୍ବର ଏହି ନିର୍ବିଷ ଜଳସର୍ପକୁ (ଧଣ୍ଡ) ଠାବ କରି ସେଠାରୁ ବାହାର କରିବା ଲାଗି ଦୁଇ ଉଦ୍ଧାରକାରୀଙ୍କୁ ପ୍ରାୟ ୩୦ ମିନିଟ୍‌ ଲାଗିଥିଲା।

ସୂଚନାଯୋଗ୍ୟ, ଧଣ୍ଡସାପ, ସାଧାରତଃ ଜଳାଶୟ ଓ ଚାଷଜମିରେ ଦେଖାଯାଆନ୍ତି। ଏମାନେ ଛୋଟ ‌ମାଛ ଓ ଗେଣ୍ଡା ଖାଇ ପାଣିରେ ଥାଆନ୍ତି। ଏହି ପ୍ରଜାତିର ସର୍ପକୁ ବନ୍ୟପ୍ରାଣୀ (ସୁରକ୍ଷା) ଆଇନ, ୧୯୭୨ର ‘ସ୍କିଡ୍ୟୁଲ୍‌ ୨’ ଅନୁଯାୟୀ ସଂରକ୍ଷିତ ଘୋଷଣା କରାଯାଇଛି।

ଚଳିତ ବର୍ଷାଋତୁରେ ଦିଲ୍ଲୀର ବିଭିନ୍ନ ପ୍ରାନ୍ତରୁ ୭୦ରୁ ଅଧିକ ସର୍ପ ଉଦ୍ଧାର କରାଯାଇଛି