ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲା: ବଢିଲା ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ଅଡ଼ୁଆ

ଭୁବନେଶ୍ବର : ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲାକୁ ନେଇ ପୋଲିସ ତଦନ୍ତ ଚଳାଇଥିବା ବେଳେ, ସେପଟେ ଏହାକୁ ନେଇ ଜାରୀ ରହିଛି ରାଜନୀତି । ତାଙ୍କ ମୃତ୍ୟୁ ଘଟଣା ପରଠୁ ବିବାଦଘେରକୁ ଆସିଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି।

ସମୀରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ଦାବି ନେଇ ଗୋପ ନିମାପଡ଼ା ସ୍ବାଭିମାନ ମଞ୍ଚ ରାଜ୍ୟପାଳଙ୍କୁ ଭେଟିଛି। ମଞ୍ଚ ପକ୍ଷରୁ କୁହାଯାଇଛି ଯେ ଧର୍ମେନ୍ଦ୍ର ନିଜ ମୃତ୍ୟୁ ପୂର୍ବରୁ ସାମ୍ବାଦିକ ଅକ୍ଷୟ ନାୟକଙ୍କୁ ଫୋନ୍‌ କରି ତାଙ୍କ ମୃତ୍ୟୁ ପାଇଁ କେଉଁମାନେ ଦାୟୀ ସବୁ କହିଥିଲେ। ତାହାର ରେକର୍ଡିଂ ମଧ୍ୟ ରହିଛି। ତାହାକୁ ପୁଲିସ ତଦନ୍ତ ପରିସରଭୁକ୍ତ କରିଛି। ମୃତ୍ୟୁ ପାଇଁ ବିଶେଷ କରି ସେ ୫ଜଣଙ୍କ ନାମ ନେଇଥିଲେ। ସେଥିରେ ସେ ତାଙ୍କ ପତ୍ନୀ, ମନ୍ତ୍ରୀ ସମୀର ରଂଜନ ଦାଶ ଏବଂ ବିନ୍ଦାସ ଚିନୁଙ୍କ ଭୂମିକାକୁ ଲୋକଲୋଚନକୁ ଆଣିଥିଲେ।

ମନ୍ତ୍ରୀ ଏବଂ ତାଙ୍କ ସହକର୍ମୀ ବିନ୍ଦାସ୍‌ ଚିନୁ ମୃଦୁପାନୀୟରେ ନିଶା ମିଶାଇ ଧର୍ମେନ୍ଦ୍ରଙ୍କ ପତ୍ନୀଙ୍କୁ ପିଆଇଥିଲେ। ଏହାପରେ ତାଙ୍କୁ ଯୌନଶୋଷଣ କରି ଫଟୋ ଉତ୍ତୋଳନ କରିଥିଲେ। ଏହାର ସୁଯୋଗ ନେଇ ସମୀର ବାରମ୍ବାର ସମ୍ପର୍କ ରଖୁଥିଲେ। ଧର୍ମେନ୍ଦ୍ର ଘଟଣା ବିଷୟରେ ଜାଣିବା ପରେ ମଧ୍ୟ ସମୀରଙ୍କୁ ବିରୋଧ କରିବାକୁ ସମର୍ଥ ନଥିଲେ। ତେଣୁ ସେ ନିରୁପାୟ ହୋଇ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି। ତେଣୁ ସମୀର କ୍ଷମତାରେ ଥିବା ପର୍ଯ୍ୟନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସମ୍ଭବ ନୁହେଁ। ପ୍ରକୃତ ସତ୍ୟ ମଧ୍ୟ ପଦାକୁ ଆସିପାରିବ ନାହିଁ। ତେଣୁ ତୁରନ୍ତ ସେ ଇସ୍ତଫା ଦିଅନ୍ତୁ ନଚେତ୍‌ ତାଙ୍କୁ ବହିଷ୍କାର କରାଯାଉ ବୋଲି ମଞ୍ଚ ପକ୍ଷରୁ ଦାବି କରାଯାଇଛି। ଶୁକ୍ରବାର ଅପରାହ୍‌ଣ ପାଖାପାଖି ୨ଟାରେ ମଞ୍ଚର ସଭାପତି ସୁଧୀର ମହାନ୍ତିଙ୍କ ନେତୃତ୍ବରେ ଅଶୋକ ନନ୍ଦ, ପୂର୍ଣ୍ଣଚନ୍ଦ୍ର ନାୟକ, ଗୋବିନ୍ଦ ଚନ୍ଦ୍ର ମଲ୍ଲିକ, ଦେବେ‌ନ୍ଦ୍ର ପ୍ରଧାନ, ସଞ୍ଜୟ ନାୟକ, ନିଶିକାନ୍ତ ସ୍ବାଇଁଙ୍କ ସମେତ ବହୁ ସଦସ୍ୟ ରାଜ୍ୟପାଳଙ୍କୁ ଭେଟି ଏ ସଂପର୍କିତ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି।

Related Posts