ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଶ୍ୱ କ୍ଷୁଧା ସୂଚକାଙ୍କରେ (ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ)-୨୦୨୨ରେ ଭାରତ ୧୨୧ଟି ଦେଶର ମଧ୍ୟରେ ପୂର୍ବର ୧୦୧ ତମ ସ୍ଥାନରୁ ୧୦୭ ତମ ସ୍ଥାନକୁ ଖସି ଆସିଛି। ସୂଚକାଙ୍କ ପ୍ରକାଶ କରିଥିବା ସଂଗଠନ ଅନୁଯାୟୀ ଏହି ତାଲିକାରେ ଶ୍ରୀଲଙ୍କା ୬୪ ତମ ସ୍ଥାନରେ, ନେପାଳ ୮୧, ବାଂଲାଦେଶ ୮୪ଏବଂ ପାକିସ୍ତାନ ୯୯ ତମ ସ୍ଥାନରେ ରହିଛି।
ତେବେ ଏହାକୁ ନେଇ ଆରଜେଡି ସୁପ୍ରିମୋ ଲାଲ ଯାଦବ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ଟୁଇଟ୍ କରି କହିଛନ୍ତି ଯେ, ଦେଶ ଏବେ ବହୁତ୍ ଖରାପ ସମୟ ଦେଇ ଗତି କରୁଛି। ବିଶ୍ଵ କ୍ଷୁଧା ସୁଚକାଙ୍କ ତାଲିକାରେ ପାକିସ୍ତାନ ମଧ୍ୟ ଭାରତଠାରୁ ଆଗରେ ରହିଛି। ଏହାଠାରୁ ଲଜ୍ଜା ଜନକ ଘଟଣା ଆଉ କଣ ହୋଇପାରେ । କେନ୍ଦ୍ରର ଭାଜପା ସରକାର ଦେଶର ସବୁ ସମ୍ପତ୍ତି କେବଳ ନିଜର ପୁଞ୍ଜିପତି ଏବଂ ଶିଳ୍ପପତି ମିତ୍ରଙ୍କୁ ବିକ୍ରି କରି ଚାଲଛନ୍ତି ବୋଲି ଲାଲୁ ଅଭିଯୋଗ କରିଛନ୍ତି।
ସୂଚନା ଅନୁସାରେ, ପ୍ରକାଶ ପାଇଥିବା ବିଶ୍ୱ କ୍ଷୁଧା ସୂଚକାଙ୍କ ତାଲିକାରେ ଦକ୍ଷିଣ ଏସିଆରେ ଦେଶ ମାନଙ୍କ ମଧ୍ୟରେ କେବଳ ଆଫଗାନିସ୍ତାନ ହିଁ ଭାରତ ପଛରେ ରହିଛି। ଏହି ସୂଚକାଙ୍କରେ ଆଫଗାନିସ୍ତାନ ୧୦୯ ସ୍ଥାନରେ ଅଛି। ସୁଦାନ, ଇଥୋପିଆ, ରୁୱାଣ୍ଡା, ନାଇଜେରିଆ, କେନିଆ, ଗାମ୍ବିଆ, ନାମ୍ବିଆ, କାମ୍ବୋଡିଆ, ମ୍ୟାନମାର, ଘାନା, ଇରାକ, ଭିଏତନାମ, ଲେବାନନ, ଗୁଏନା, ୟୁକ୍ରେନ ଏବଂ ଜାମାଇକା ଭଳି ଦେଶ ମଧ୍ୟ ଏହି ସୂଚକାଙ୍କରେ ଭାରତଠାରୁ ବହୁ ଉଚ୍ଚ ସ୍ଥାନରେ ଅଛନ୍ତି।
