ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବଲାଙ୍ଗୀର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ହରିଶଙ୍କରରେ ପ୍ରସ୍ତାବିତ ରୋପ୍‌ ଓ୍ୱେ ପ୍ରକଳ୍ପକୁ ରାଜ୍ୟ ସରକାର ବାତିଲ କରିଥିବାରୁ ସମଗ୍ର ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି ।ହରିଶଙ୍କର ପୀଠକୁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ପର୍ଯ୍ୟଟକଙ୍କ ସୁଅ ଛୁଟି ଥାଏ । ହରିଶଙ୍କରରୁ ନୃସିଂହ ନାଥ ଯିବା ପାଇଁ କୌଣସି ସୁବିଧା ନଥିବା ବେଳେ ପ୍ରସ୍ତାବିତ ରୋପ୍‌ ଓ୍ୱେକୁ ରାଜ୍ୟ ସରକାର ବାତିଲ କରିଦେଇଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତିକୁ ଜୋରଦାର ବିରୋଧ କରାଯାଇଛି।ସରକାର ପଶ୍ଚିମ ଓଡିଶାକୁ ବାରମ୍ବାର ବୈମାତୃକ ପ୍ରଦର୍ଶନ କରି ଅଣଦେଖା କରୁଥିବା ଅଭିଯୋଗ ହୋଇଛି ।

ତେବେ ଏନେଇ ଗତ କିଛି ଦିନ ପୂର୍ବରୁ କୋଶଳ ମୁକ୍ତି ମୋର୍ଚ୍ଚା ତରଫରୁ ଦୁଇଦିନ ଧରି ହରିଶଙ୍କରରେ ଜଳସତ୍ୟାଗ୍ରହ କରିଥିଲେ ମଧ୍ୟ ସରକାର ଓ ଜିଲ୍ଲା ପ୍ରଶାସନ କୌଣସି ପ୍ରକାର ପଦକ୍ଷେପ ନେଇନଥିଲେ । ତାହାର ପ୍ରତିବାଦରେ ଆଜି ପୁଣି କୋଶଳ ସଂଘର୍ଷ ସମିତି ପକ୍ଷରୁ ୧୨ ଘଣ୍ଟିଆ ଖପ୍ରାଖୋଲ ବନ୍ଦ ଡାକରା ଦେବା ସହ ୧୦ ଦଫା ସମ୍ବଳିତ ଦାବି ଜଣାଇଛନ୍ତି ।

ଦାବି ମଧ୍ୟରେ ହରିଶଙ୍କରରେ ଶୀଘ୍ର ରୋପ୍‌ ଓ୍ୱେ ନିର୍ମାଣ, ଖପ୍ରାଖୋଲରୁ ହରିଶଙ୍କର ପର୍ଯ୍ୟନ୍ତ ଆଲୋକିକରଣ, ଶିଶୁ ଉଦ୍ୟାନ ଉନ୍ନତିକରଣ, ବଲାଙ୍ଗୀରରୁ ହରିଶଙ୍କରକୁ ଚାଲୁଥିବା ଟୁରିଜିମ୍ ବସ କାହିଁକି ବନ୍ଦ କରାଗଲା ତାହା ପୁନଃ ଚଳାଚଳ ଖପ୍ରାଖୋଲରୁ ହରିଶଙ୍କର ପର୍ଯ୍ୟନ୍ତ ପଥ ପ୍ରାନ୍ତ ନିବାସ ସ୍ଥାପନ ଗନ୍ଧମାର୍ଦ୍ଦନକୁ ଜାତୀୟ ସମ୍ପତି ଘୋଷଣା । ହରିଶଙ୍କରକୁ ଇକୋ ଟୁରିଜିମ ଘୋଷଣା ହରିଶସଙ୍କର ଓ ନୃସିଂହ ନାଥକୁ ଜାତୀୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ କରିବା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି ।

ଏହି ବନ୍ଦ ଫଳରେ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ ତଥା ଦୋକାନ ବଜାର ବନ୍ଦ ରହିବା ସଂଗେ ଯାନବାହନ ଚଳାଚଳ ଠପ ରହିଛି । ଫଳରେ ଯାତ୍ରୀମାନେ ନାହି ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଆନ୍ଦୋଳନକାରୀ ମାନେ ଖପ୍ରାଖୋଲ ହରିଶଙ୍କର ଛକରେ ରାସ୍ତା ଅବରୋଧ କରିବା ପରେ ଯାତାୟାତ ଠପ ହୋଇପଡ଼ିଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।