ଯୁବକଙ୍କୁ ବାଇକରେ ବାନ୍ଧି ଦୌଡ଼େଇବା ଘଟଣାକୁ ନେଇ କାର୍ଯ୍ୟନୁଷ୍ଠାନ: ଉଭୟ ଅଭିଯୁକ୍ତ ଅଟକ

କଟକ: ଯୁବକଙ୍କୁ ବାଇକରେ ବାନ୍ଧି ଦୌଡ଼େଇବା ଘଟଣାକୁ ସମଗ୍ର ରାଜ୍ୟରେ ଚାନ୍ଚଲ୍ୟ ଖେଲାଇଥିବା ବେଳେ, ଏହି ଘଟଣାକୁ ନେଇ ଆକ୍ସନ ନେଇଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ଡିସିପି ପିନାକ ମିଶ୍ର। ସେ କହିଛନ୍ତି, ଦୁଇ ଅଭିଯୁକ୍ତ ପରସ୍ପରକୁ ଜାଣିଛନ୍ତି। ପଇସା ଫେରସ୍ତକୁ ନେଇ ଏଭଳି କାଣ୍ଡ ଭିଆଇଛନ୍ତି ଅଭିଯୁକ୍ତ। ଉଭୟ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ଅଟକ ରଖାଯାଇଛି।

ସେ ଆହୁରି କହିଛନ୍ତି, ଉଭୟ ଅଭିଯୁକ୍ତ ଲାଲବାଗ ଅଞ୍ଚଳର ଅଟନ୍ତି। ଉକ୍ତ ଅଞ୍ଚଳର ସିସିଟିଭି ଯାଞ୍ଚ କରାଯାଉଛି। ଅଭିଯୁକ୍ତ ଏଭଳି କାଣ୍ଡ ଭିଆଇବା ସମୟରେ ଯଦି କୌଣସି ଟ୍ରାଫିକ ପୋଷ୍ଟ ଅତିକ୍ରମ କରିଥିବେ ଓ ଏହି ଘଟଣାକୁ ଯଦି ଟ୍ରାଫିକ ପୁଲିସ ଅଣଦେଖା କରିଥିବେ, ତେବେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ। ପୀଡ଼ିତକୁ ଖୋଜାଖୋଜି ଜାରି ରଖିଛୁ। କଣ୍ଟ୍ରୋଲ ରୁମରେ ଏପରି କୌଣସି ଦୃଶ୍ୟ ରେକର୍ଡ ହୋଇ ନାହିଁ। ବରିଷ୍ଠ ଅଧିକାରୀଙ୍କୁ ତଦନ୍ତ ନେଇ ଦାୟିତ୍ୱ ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ଉଧାର ଟଙ୍କା ଫେରସ୍ତ ନଦେବାରୁ କଟକ ସହରରେ ଜଣେ ଯୁବକଙ୍କୁ ଅନ୍ୟ ଦୁଇଜଣ ଯୁବକ ଅମାନୁଷିକ ଭାବେ ଦଣ୍ଡ ଦେଇଛନ୍ତି। ଯୁବକଙ୍କୁ ବାଇକ୍ ପଛରେ ବାନ୍ଧି ୨କିଲୋମିଟରରୁ ଅଧିକ ଦୂର ଦୌଡ଼ାଇବା ସହ ପ୍ରତିରୋଧ କରିବାକୁ ଆସୁଥିବା ଲୋକଙ୍କୁ ସେମାନେ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇଛନ୍ତି। ସହର ଭିତରେ ମିସନ୍ରୋଡ୍ ଅଞ୍ଚଳରେ ଅଧଘଣ୍ଟା ଧରି ଏଭଳି ବର୍ବରକାଣ୍ଡ ଚାଲିଥିଲେ ବି ପୁଲିସ ଜାଣି ନପାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଅପରପକ୍ଷେ, ଏହା ସହରର ଆଇନଶୃଙ୍ଖଳା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗଞ୍ଜେଇ କିଣିବାକୁ ନେଇଥିବା ଟଙ୍କା ଫେରସ୍ତ ନକରିବାରୁ ଯୁବକଙ୍କୁ ଏପରି ଅମାନବୀୟ ଭାବେ ଦଣ୍ଡିତ କରାଯାଇଥିବା କୁହାଯାଉଛି।

ରବିବାର ସଂଧ୍ୟା ସାଢେ ୬ଟା ସମୟର ଘଟଣା। ମିସନ୍ ରୋଡ ସ୍ଥିତ ଶୈଳବାଳା ମହିଳା କଲେଜରୁ ବକ୍ସିବଜାର ରାସ୍ତାରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା। ପ୍ରାୟ ୨୪ ବର୍ଷ ବୟସର ଜଣେ ଯୁବକଙ୍କ ହାତକୁ ଦଉଡ଼ିରେ ବାଇକ୍ ପଛରେ ବାନ୍ଧି ଦିଆଯାଇଥିଲା।

ବାଇକରେ ବସିଥିବା ଦୁଇଜଣ ଯୁବକ ତାଙ୍କୁ ଟାଣି ନେଉଥିଲେ। ଯୁବକଜଣକ ବାଇକ୍ ପଛରେ ଧଇଁସଇଁ ହୋଇ ଦୌଡ଼ୁଥିବା ବେଳେ ଦୁଇ ଯୁବକ ମାରଣାସ୍ତ୍ର ଧରି ସମସ୍ତଙ୍କୁ ଭୟଭୀତ କରି ଗାଡ଼ି ଚଲାଉଥିଲେ। ଯୁବକଙ୍କୁ ଗାଡ଼ି ପଛରେ ବାନ୍ଧି ଚଣ୍ଡୀଛକରୁ ବାପ୍ଟିଷ୍ଟ ଚର୍ଚ୍ଚ ପାଖ ଗଳି ଦେଇ ସୂତାହାଟ ଆଡକୁ ଦୁଇ ଯୁବକ ନେଇଯାଇଥିଲେ। ସୂତାହାଟ ଛକରେ କିଛିଲୋକ ସେମାନଙ୍କୁ ଅଟକାଇ ପଚାରିବାରୁ ଯୁବକଦ୍ବୟ କହିଥିଲେ, ‘ସେ ଗଞ୍ଜେଇ କିଣିବାକୁ ଆମଠାରୁ ୧୦ ହଜାର ଟଙ୍କା ଧାର୍ ନେଇଥିଲା। ୨ମାସ ହେବ ଟଙ୍କା ନଦେବାରୁ ଆମେ ତାକୁ ଏମିତି ଦଣ୍ଡ ଦେଉଛୁ ।’

Related Posts