ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଡଲାର ତୁଳନାରେ ଭାରତୀୟ ଟଙ୍କାର ସର୍ବକାଳୀନ ମୂଲ୍ୟ ହ୍ରାସ ଦେଖିବାକୁ ମିଳିଛି । ବୁଧବାରଦିନ ଟଙ୍କା ୬୧ ପଇସା ଖସିବା ସହ ପ୍ରଥମ ଥର ପାଇଁ ଗୋଟିଏ ଡଲାର ମୂଲ୍ୟ ୮୩ ଟଙ୍କା ଟପିଯାଇଛି । ଆମେରିକାର ଫେଡେରାଲ ରିଜର୍ଭ ସୁଧହାର ବଢାଇବା ଦ୍ବାରା ଅନ୍ତର୍ଜାତୀୟ ବଜାରରେ ଡଲାର ସୁଦୃଢ ହେଉଛି । କାରଣ ନିବେଶକମାନେ ଡଲାରରେ ନିବେଶ କରି ଅଧିକ ରିଟର୍ଣ୍ଣ ପାଉଛନ୍ତି ।ଡଲାର ସୁଦୃଢ ହେବାର ଆଉ ଏକ କାରଣ ହେଉଛି ତୈଳ ଦର ବୃଦ୍ଧି ।

ଦିନକୁ ଦିନ ଦୁର୍ବଳ ହେଉଥିବା ଟଙ୍କା ଭାରତୀୟ ଅର୍ଥନୀତିକୁ ଦୁର୍ବଳ କରିଦେବାର ଆଶଙ୍କା ରହିଛି । ଟଙ୍କା ଆହୁରି ଦୁର୍ବଳ ହେବା ଯୋଗୁଁ ସରକାରଙ୍କୁ ବିରୋଧୀ ଦଳମାନେ ଆହୁରି ଟାର୍ଗେଟ କରିବାର ସମ୍ଭାବନା ରହିଛି ।ଟଙ୍କା ମୂଲ୍ୟକୁ ସ୍ଥିର ରଖିବାକୁ ରିଜର୍ଭ ବ୍ୟାଙ୍କ କେତେକ ପଦକ୍ଷେପ ନେବାର ସମ୍ଭାବନା ରହିଛି । ବିଶେଷକରି ରିଜର୍ଭ ବ୍ୟାଙ୍କ ବଜାରକୁ ଡଲାର ବିକ୍ରି କରିବାର ସମ୍ଭାବନା ରହିଛି ।

ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଯୋଗୁଁ ଭାରତର ଆମଦାନୀ ମହଙ୍ଗା ହେବ । ଫଳରେ ଆମଦାନୀ ସାମଗ୍ରୀର ମୂଲ୍ୟ ବଢିବ । ଏସବୁ ସାମଗ୍ରୀ ମଧ୍ୟରେ ସବୁଠାରୁ ଆଗରେ ରହିଛି ତେଲ (ପେଟ୍ରୋଲିୟମ) । ଭାରତ ନିଜ ଆବଶ୍ୟକତାର ୭୦ ପ୍ରତିଶତ ତେଲ ଆମଦାନୀ କରୁଥାଏ ଓ ଏଥିପାଇଁ ଡଲାରରେ ପେମେଣ୍ଟ କରାଯାଏ । ଏଣୁ ଆଗକୁ ଦେଶରେ ପେଟ୍ରୋଲ, ଡିଜେଲ, ଗ୍ୟାସ୍ ମୂଲ୍ୟ ମହଙ୍ଗା ହେବ । ସେହିପରି ଭାରତ ମୋବାଇଲ ଫୋନ ଉପକରଣ, ଏଲଇଡି ଟିଭି ଆଦି ବିଭିନ୍ନ ପ୍ରକାରର ଇଲେକ୍ଟ୍ରୋନିକ ସାମଗ୍ରୀ ବିଦେଶରୁ ଆମଦାନୀ କରିଥାଏ ।