ସଙ୍କଟରେ ରୁଷର ଅର୍ଥନୀତି: ଆମେରିକୀୟ ଡଲାର ତୁଳନାରେ ଖସିଲା ରୁବେଲର ମୂଲ୍ୟ

ଋଷ ୟୁକ୍ରେନ ଉପରେ ଲଗାତାର ଭାବେ ଆକ୍ରମଣ ଜାରି ରଖିଥିବା ବେଳେ, ଯାହାକୁ ନେଇ ଅନେକ ଦେଶ ବିରୋଧ ପ୍ରଦର୍ଶନ କରିଛନ୍ତି। ଆକ୍ରମଣର ପରିଣାମ ସ୍ବରୂପ ବହୁ ମୂଲ୍ୟ ରୁଷକୁ ଦେବାକୁ ପଡୁଛି । ଆମେରିକା, ବ୍ରିଟେନ, ଫ୍ରାନ୍ସ ଭଳି ରାଷ୍ଟ୍ର ରୁଷ ଉପରେ କଟକଣା ଲଗାଇବା ପରେ ରୁଷର ଅର୍ଥନୀତି ସଙ୍କଟରେ ରହିଛି । ଆମେରିକା ଡଲାର ତୁଳନାରେ ରୁଷ ମୁଦ୍ରା “ରୁବେଲ”ର ମୂଲ୍ୟ ହ୍ରାସ ପାଇଛି । ଗୋଟିଏ ଆମେରିକୀୟ ଡଲାର ପାଇଁ ଏବେ ୧୧୭ “ରୁବେଲ” ଗଣିବାକୁ ପଡୁଛି । ସେପଟେ ରୁଷର ଲୋକେ ଅର୍ଥନୀତି ଭୁଶୁଡିଥିବା ଜାଣି ନଗଦ ଟଙ୍କା ଉଠାଇବାକୁ ବ୍ୟାଙ୍କ ଏଟିଏମ୍ ଆଗରେ ଗହଳି କରୁଛନ୍ତି ।

ରୁଷ ଆକ୍ରମଣ କରିବା ପରେ କ୍ଷୟକ୍ଷତି କେବଳ ୟୁକ୍ରେନର ହେଉଛି ତା ନୁହେଁ, ରୁଷକୁ ମଧ୍ୟ ଯୁଦ୍ଧର ବଡ ମୂଲ୍ୟ ଦେବାକୁ ପଡୁଛି । ଆମେରିକା, ବ୍ରିଟେନ, ସମେତ ବିଶ୍ୱର ବିଭିନ୍ନ ରାଷ୍ଟ୍ର ରୁଷ ଉପରେ କଟକଣା ଜାରି କରିବା ପରେ ରୁଷ ଅର୍ଥନୀତି ଭୁଶୁଡିବା ଆରମ୍ଭ କରିଛି ।

ଡଲାର ତୁଳନାରେ ସର୍ବନିମ୍ନସ୍ତରକୁ ଖସିଲା ରୁବେଲ ମୂଲ୍ୟ । ୟୁକ୍ରେନ୍ ଉପରେ ରୁଷର ଆକ୍ରମଣ ପରେ ସଙ୍କଟରେ ରୁଷିଆର ଅର୍ଥନୀତି । ଡଲାର ତୁଳନାରେ ରୁଷ କରେନ୍ସୀ ‘ରୁବେଲ’ ୪୧ ପ୍ରତିଶତ ହ୍ରାସ ପାଇଛି । ଗୋଟିଏ ଆମେରିକୀୟ ଡଲାରର ମୂଲ୍ୟ ୧୧୭ ‘ରୁବେଲ’ରେ ପହଞ୍ଚିଛି ।

ଅର୍ଥନୀତି ବିଗୁଡୁଥିବା ଦେଖି ଓ ଯୁଦ୍ଧ ଜନିତ ଅନିଶ୍ଚିତତାକୁ ନେଇ ଲୋକେ ହାତରେ ନଗଦ ଟଙ୍କା ରଖିବାକୁ ବ୍ୟାଙ୍କ ଯାଉଛନ୍ତି । ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି ଯେ ଅର୍ଥନୀତି ଭୁଶୁଡି ଯିବ ଓ ବ୍ୟାଙ୍କରୁ ତାଙ୍କ ଅର୍ଥ ମିଳିବ ନାହିଁ । ତେଣୁ ରୁଷର ବିଭିନ୍ନ ବ୍ୟାଙ୍କ, ଏଟିଏମରେ ଲୋକଙ୍କ ଗହଳି ଜମୁଛି ।

ଅନ୍ୟପଟେ ଯଦି ଶୀଘ୍ର ୟୁକ୍ରେନ ସହ ଯୁଦ୍ଧ ଶେଷ ନହୁଏ ତେବେ ରୁଷ ଘୋର ଆର୍ଥିକ ସଙ୍କଟର ସାମ୍ନା କରିବ ବୋଲି ଅର୍ଥନୀତି ବିଶେଷଜ୍ଞ କହୁଛନ୍ତି।

Related Posts