ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସର ନୂଆ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ମଲ୍ଲିକାର୍ଜୁନ ଖଡଗେ । ଅଧ୍ୟକ୍ଷ ନିର୍ବାଚନରେ ଦଳର ସାଂସଦ ଶଶୀ ଥରୁରଙ୍କୁ ମାତ୍ ଦେଇ ବିଜୟ ମୁକୁଟ ପିନ୍ଧିଛନ୍ତି ମଲ୍ଲିକାର୍ଜୁନ । ତେବେ କଂଗ୍ରେସକୁ ନୂଆ ସଭାପତି ମିଳିବା ପରେ ଦଳରେ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କର କଣ ଭୂମିକା ରହିବ ତାହା ଉପରେ ସମସ୍ତଙ୍କର ନଜର ରହିଛି। ଏନେଇ ଆଜି ଆନ୍ଧ୍ରପ୍ରଦେଶରେ ଭାରତ ଯୋଡ ଯାତ୍ରା ଚାଲିଥିବା ବେଳେ ରାହୁଲଙ୍କୁ ପ୍ରଶ୍ନ କରାଯାଇଥିଲା। ତେବେ ଏହି ପ୍ରଶ୍ନର ଉତ୍ତର ଦେଇ ରାହୁଲ କହିଛନ୍ତି ଯେ, କଂଗ୍ରେସରେ ମୋର ଭୂମିକା କଣ ରହିବ ତାହା ଦଳର ନୂଆ ଅଧ୍ୟକ୍ଷ ସ୍ଥିର କରିବେ।

ସୂଚନାଯୋଗ୍ୟ ଯେ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଏବେ କଂଗ୍ରେସ ଭାରତ ଯୋଡ ଯାତ୍ରା ଜାରି ରଖିଛି । ଏହି ଯାତ୍ରା ଏବେ ତାମିଲନାଡୁ, କର୍ଣ୍ଣାଟକ ହୋଇ ଆନ୍ଧ୍ରପ୍ରଦେଶରେ ପହଞ୍ଚିଛି । ଆଉ ଏହି ଯାତ୍ରା ସମୟରେ ଯେତେବେଳେ ରାହୁଲଙ୍କ ଭୂମିକାକୁ ନେଇ ଗଣମାଧ୍ୟମ ପ୍ରଶ୍ନ କରିଥିଲା ସେତେବେଳେ ସେ ସ୍ପଷ୍ଟ କରିଥିଲେ ଯେ, ଦଳରେ ଆଗକୁ ତାଙ୍କର ଭୂମିକା କଣ ରହିବ ତାହା ନୂଆ ଅଧ୍ୟକ୍ଷ ସ୍ଥିର କରିବେ। ଏହାଛଡା ରାହୁଲ ଗାନ୍ଧୀ କହିଛନ୍ତି, ଦେଶରେ କଂଗ୍ରେସ ହିଁ ଏକମାତ୍ର ପାର୍ଟି ଯିଏ ଗାଣତନ୍ତ୍ରିକ ପଦ୍ଧତିରେ ସଭାପତି ନିର୍ବାଚନ କରାଉଛି । ଏଭଳି କହି ଅନ୍ୟ ଦଳ ଗୁଡିକୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ ।

ଏସବୁ ଭିତରେ କଂଗ୍ରେସକୁ ଦୀର୍ଘ ୨୪ ବର୍ଷ ପରେ ଅଣଗାନ୍ଧୀ ପରିବାରରୁ ଅଧ୍ୟକ୍ଷ ମିଳିଛି । ତେବେ ଆଗକୁ ହିମାଚଳ ପ୍ରଦେଶ ଓ ଗୁଜୁରାଟ ବିଧାନସଭା ନିର୍ବାଚନ ଥିବା ବେଳେ ରାହୁଲ ଗାନ୍ଧୀଙ୍କ ନେତୃତ୍ଵରେ ଦଳର ଭାରତ ଯୋଡ ଯାତ୍ରା ଜାରି ରହିଛି। ଏହି ଆଗାମୀ ବିଧାନସଭା ନିର୍ବାଚନ ହିଁ ନୂଆ ଅଧ୍ୟକ୍ଷ ପାଇଁ ପ୍ରଥମ ଚ୍ୟାଲେଞ୍ଜ ହେବ। ଦଳକୁ ଏକଜୁଟ କରି ଏହି ନିର୍ବାଚନରେ ନୂଆ ଅଧ୍ୟକ୍ଷ କିଭଳି ପ୍ରଦର୍ଶନ କରୁଛନ୍ତି ତାହା ଦେଖିବକୁ ବାକି ରହିଲା।