ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୁଜୁରାଟର ବହୁଚର୍ଚ୍ଚିତ ବିଲକିସ ବାନୋ ଗଣଦୁଷ୍କର୍ମ ମାମଲା ଏବେ ପୁଣି ଚର୍ଚ୍ଚାକୁ ଆସିଛି। ଏହି ମାମଲାରେ ୧୧ ଜଣ ଦୋଷୀଙ୍କୁ ମୁକ୍ତ କରିବା ନେଇ ଗୁଜୁରାଟ ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ଗୁଜରାଟ ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ, ବିଲକିସ ବାନୋ ମାମଲାରେ ୧୧ ଜଣ ଦୋଷୀଙ୍କୁ ୧୪ ବର୍ଷ ଜେଲ ଦଣ୍ଡ ଭୋଗିବା ପରେ ମୁକ୍ତ କରାଯାଇଛି। ସେମାନଙ୍କ ଉତ୍ତମ ଆଚରଣ ଏବଂ କେନ୍ଦ୍ର ଅନୁମୋଦନ ପରେ ସେମାନଙ୍କୁ ମୁକ୍ତ କରାଯାଇଥିବା ଗୁଜୁରାଟ ସରକାର କହିଛନ୍ତି। ଏହାପରେ ବିଲକିସ ବାନୋ ମାମଲାରେ କେନ୍ଦ୍ର ସରକାରଙ୍କ ଭୂମିକାକୁ ନେଇ ଏବେ ପ୍ରଶ୍ନ ଉଠାଇଛି ଆମ ଆଦମୀ ପାର୍ଟି। ଆପ୍ ର ରାଜ୍ୟସଭା ସଂସଦ ସଞ୍ଜୟ ସିଂ ବଳାତ୍କାରକାରୀଙ୍କ ମୁକ୍ତି ନେଇ ବିଜେପି ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି।

ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସଞ୍ଜୟ କହିଛନ୍ତି ଯେ, ଏହା ଏକ ଜଣାଶୁଣା ସତ୍ୟ ଯେ, ଯେଉଁମାନେ ବଳାତ୍କାର କରନ୍ତି ସେମାନଙ୍କୁ ବଞ୍ଚାଇବା ଏବଂ ସୁରକ୍ଷା ଦେବା କାମ ବିଜେପି ଦ୍ୱାରା କରାଯାଇଥାଏ। ଦେଶର ବିଭିନ୍ନ ରାଜ୍ୟରେ ଏହାର ପ୍ରମାଣ ମିଳିବ। ଗୁଜୁରାଟରେ ମଧ୍ୟ ସମାନ ଘଟଣା ଘଟିଛି। ଉଭୟ ଗୁଜୁରାଟ ଓ କେନ୍ଦ୍ରରେ ବିଜେପିର ସରକାର ରହିଛି ଓ ଉଭୟ ସରକାର ମିଶି ବଳାତ୍କରୀଙ୍କୁ ସୁରକ୍ଷା ଦେବାରେ ଲାଗିପଡିଛନ୍ତି । ବିଲକିସ ବାନୋ ମାମଲା ଏବେ ସୁପ୍ରିମକୋର୍ଟରେ ଥିବାରୁ ଏଥିରେ ନ୍ୟାୟ ମିଳିବ ବୋଲି ଆଶା କରାଯାଉଛି ବୋଲି ସଞ୍ଜୟ କହିଛନ୍ତି।

ଅନ୍ୟପଟେ ସିବିଆଇ ମୁଖ୍ୟାଳୟ ସାମ୍ନାରୁ ତାଙ୍କୁ ପୋଲିସ ଉଠାଇ ନେବା ନେଇ ସେ କହିଛନ୍ତି ଯେ, ଭାରତ ଏକ ଗଣତାନ୍ତ୍ରିକ ଦେଶ। ଏଠାରେ ଅଭିବ୍ୟକ୍ତିର ସ୍ବାଧୀନତା ଆମର ସାମ୍ବିଧାନିକ ଅଧିକାର। ମୁଁ ଏହି ଅଧିକାରକୁ ବ୍ୟବହାର କରୁଥିଲି। ହେଲେ ସିବିଆଇ ମୁଖ୍ୟାଳୟକୁ ୧୯ ଜଣ ଆପ ବିଧାୟକ ଏବଂ ୨ ଜଣ କ୍ୟାବିନେଟ ମନ୍ତ୍ରୀଙ୍କୁ ପୋଲିସ ଉଠାଇ ନେଲା। ପୋଲିସ ଶତ୍ରୁ ପରି ବ୍ୟବହାର କଲା। ମୋତେ ଟାଣି ନିଆଗଲା। ମତେ ଆଘାତ ଲଗାଇବାର ପ୍ରୟାସ କରାଯାଇଥିଲା। ଏହା ଏକ ଅପରାଧିକ କାର୍ଯ୍ୟ, ଯାହା ପୋଲିସ ଅଧିକାରୀଙ୍କ ଦ୍ୱାରା ବିଜେପିର ନିର୍ଦ୍ଦେଶରେ କରାଯାଇଥିଲା। ମୁଁ ଏହା ବିରୋଧରେ ଅଧିକାର କମିଟିକୁ ନୋଟିସ ଦେଉଛି ଏବଂ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିବି।

ତେବେ ଏନେଇ ସଞ୍ଜୟ ସଂସଦର ବିଶେଷ ଅଧିକାର କମିଟିକୁ ନୋଟିସ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ ପୋଲିସର ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ପୋଲିସର ଏହା ଏକ ଅପରାଧିକ କାର୍ଯ୍ୟ ବୋଲି ସେ କହିଛନ୍ତି।