ସମ୍ଭାବ୍ୟ ବାତ୍ୟାକୁ ନେଇ ୭ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ କରାଇଲେ ଏସଆରସି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସମ୍ଭାବ୍ୟ ବାତ୍ୟାକୁ ନେଇ ୭ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନର ( ଏସଆରସି )। ଏସଆରସି ଆଜି ଚିଠି ଲେଖି ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡା ଓ ବାଲେଶ୍ୱର ଜିଲ୍ଲାର ଜିଲ୍ଲାପାଳଙ୍କୁ ସମ୍ଭାବ୍ୟ ବାତ୍ୟା ନେଇ ସତର୍କ କରାଇଛନ୍ତି । ଅନ୍ୟପଟେ ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ମଧ୍ୟ ବାରଣ କରାଯାଇଛି।

ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ଏବେ ଯାଏ ସମ୍ପୂର୍ଣ୍ଣ ସ୍ପଷ୍ଟତା ଆସିନଥିଲେ ମଧ୍ୟ ବିଭିନ୍ନ ମଡେଲ ଏହାକୁ ନେଇ ପୂର୍ବାନୁମାନ କରୁଛନ୍ତି । ସେହିପରି ଆଇଏମଡିର ନଜର ମଧ୍ୟ ସମସ୍ତ ମଡେଲ ଉପରେ ରହିଛି । ଆଇଏମଡି ପ୍ରତ୍ୟେକ ମଡେଲକୁ ବିଶ୍ଳେଷଣ ମଧ୍ୟ କରୁଛି । ବାତ୍ୟାକୁ ନେଇ ବିଭିନ୍ନ ମଡେଲ ଭିନ୍ନ ଭିନ୍ନ ତଥ୍ୟ ପ୍ରଦାନ କରୁଛନ୍ତି । ବାତ୍ୟାର ଗତିପଥ ଓ ତୀବ୍ରତାକୁ ନେଇ ମଧ୍ୟ ଭିନ୍ନ ଭିନ୍ନ ତଥ୍ୟ ସାମ୍ନାକୁ ଆସୁଛି । ଇସିଏମଡବ୍ଲୁଏଫ ଏବଂ ଜିଏଫଏକ୍ସ ମଡେଲ ଏହାକୁ ନେଇ ଆକଳନ କରିଛି । ଏହି ଦୁଇଟି ମଡେଲର ଆକଳନ ଅନୁସାରେ ବାତ୍ୟା ପଶ୍ଚିମବଙ୍ଗର ଦିଘା ଠାରୁ ବାଲାଂଦେଶର ପଥର ଘାଟ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ । ଅନ୍ୟପଟେ ଆଇଏମଡି ଜିଏଫଏସ୍ ମଡେଲ ଅନୁସାରେ ବାତ୍ୟା ୨୮ ତାରିଖରେ ଓଡ଼ିଶାରେ ସ୍ଥଳ ଭାଗ ଛୁଇଁବା ନେଇ ଆକଳନ କରାଯାଉଛି । କିନ୍ତୁ ଏପର୍ଯ୍ୟନ୍ତ ଭାରତୀୟ ପାଣିପାଗ ବିଭାଗ ବାତ୍ୟାକୁ ନେଇ କୌଣସି ସ୍ପଷ୍ଟ ସୂଚନା ଦେଇ ନାହିଁ । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଯାଇ ସମସ୍ତ ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିପାରିବ ବୋଲି ଆଇଏମଡି ସୂଚନା ଦେଇଛି।

Related Posts