ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଗକୁ ଦିପାବଳୀ ଆସୁଥିବା ବେଳେ ବାଣର ଚାହିଦାକୁ ନଜରରେ ରଖି ଗୋଦାମଗୁଡିକରେ ବ୍ୟବସାୟୀମାନେ ବାଣ ମହଜୁତ କରୁଛନ୍ତି । ଏସବୁ ଭିତରେ ମଧ୍ୟପ୍ରଦେଶର ଏକ ବାଣ ଗୋଦାମରେ ଭୟାନକ ଭାବେ ନିଆଁ ଲାଗିଥିବାର ଖବର ଆସିଛି । ମଧ୍ୟପ୍ରଦେଶର ମୁରୈନା ଠାରେ ଥିବା ଏକ ବାଣ ଗୋଦାମରେ ନିଆଁ ଲାଗିଯିବାର ଭୟାନକ ବିସ୍ଫୋରଣ ହୋଇଛି ।ଏହି ବିସ୍ଫୋରଣରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା କଥା କୁହାଯାଉଛି । ଏହାସହ ୭ ଜଣଙ୍କୁ ଗୁରୁତର ଅବସ୍ଥାରେ ସେହି ବାଣ ଗୋଦାମରୁ ଉଦ୍ଧାର କରାଯାଇଥିବା ବେଳେ ଏବେ ମଧ୍ୟ ଅନେକ ଲୋକ ଫଶି ରହିଥିବା ଅନୂୁମାନ କରାଯାଉଛି ।

ମୁରୈନାର ବାନାମୈର ନଗର ଜେତପୁର ରୋଡରେ ଏହି ଦୁର୍ଘଟଣା ଘଟିଛି । ଏଠାରେ ଅଚାନକ ଏକ ବାଣ ଗୋଦାମରେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଦେଖୁ ଦେଖୁ ଗୋଦାମଘରଟି ମାଟିରେ ମିଶିଯାଇଥିଲା । ଏହି ବାଣ ଗୋଦାମ ନିକଟରେ କିଛି ଲୋକ ପରିବାର ସହ ଭଡାରେ ମଧ୍ୟ ରହୁଥିଲେ ।ବିସ୍ଫୋରଣର ସୂଚନା ମିଳିବା ପରେ ତୁରନ୍ତ ପୋଲିସ ପ୍ରଶାସନ ଘଟଣା ସ୍ଥଳରେ ପହଂଚିଥିଲେ । ପ୍ରଶାସନ ତରଫରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଘର ଭିତରେ ଫଶିଥିବା କିଛି ଲୋକଙ୍କ ଉଦ୍ଧାର କରିଛନ୍ତି ।