ଭାରତୀୟ କ୍ରିକେଟ ଦଳ ପାକିସ୍ତାନ ଯିବ କି ନାହିଁ ସେ ନିଷ୍ପତ୍ତି ଗୃହ ମନ୍ତ୍ରଣାଳୟ ନେବ: କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆସନ୍ତା ବର୍ଷ ଏସିଆ କପ୍ ପାଇଁ ପାକିସ୍ତାନ ଯିବାକୁ ଥିବା ଭାରତୀୟ କ୍ରିକେଟ ଦଳ ସମ୍ପର୍କରେ ଗୃହ ମନ୍ତ୍ରଣାଳୟ ନିଷ୍ପତ୍ତି ନେବ ବୋଲି କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ସ୍ପଷ୍ଟ କରିଛନ୍ତି। ଗୁରୁବାର ସେ କହିଛନ୍ତି ଯେ, ଖେଳାଳିଙ୍କ ସୁରକ୍ଷା ଆମ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ। ଏହାକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରଣାଳୟ ନିଷ୍ପତ୍ତି ନେବ।

ତେବେ ପାକିସ୍ତାନ ଦଳ ଭାରତରେ ହେବାକୁ ଥିବା ବିଶ୍ୱକପ୍ ଖେଳିବାକୁ ଆସିବ ନାହିଁ ବୋଲି ଦେଇଥିବା ଧମକ ଉପରେ ପ୍ରତିକ୍ରିୟା ଦେଇ ଅନୁରାଗ କହିଛନ୍ତି ଯେ, ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ସମସ୍ତ ଦଳ ଭାରତ ଆସିବେ। ଭାରତରେ କୌଣସି ସୁରକ୍ଷା ଜନିତ ଅସୁବିଧା ନାହିଁ। ଭାରତ ଖେଳାଳି ମାନଙ୍କ ପାଇଁ ଏକ ସଂପୂର୍ଣ୍ଣ ସୁରକ୍ଷିତ ଦେଶ। ତେଣୁ ସମସ୍ତ ଦଳ ଭାରତ ଆସିବେ ବୋଲି ଅନୁରାଗ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଆସନ୍ତା ବର୍ଷ ପାକିସ୍ତାନରେ ଏସିଆ କପ ଆୟୋଜିତ ହେବାକୁ ଯାଉଛି, କିନ୍ତୁ ବିସିସିଆଇ ସଚିବ ତଥା ଏସୀୟ କ୍ରିକେଟ ପରିଷଦ (ଏସିସି) ସଭାପତି ଜୟ ଶାହା କହିଛନ୍ତି ଯେ, ଟିମ ଇଣ୍ଡିଆ ଏସିଆ କପ ପାଇଁ ପାକିସ୍ତାନ ଯିବ ନାହିଁ। ଏହି ଟୁର୍ନାମେଣ୍ଟ ଏକ ନିରପେକ୍ଷ ସ୍ଥାନରେ ଅନୁଷ୍ଠିତ ହେବ। ଏହା ପରେ ଏହି ଘଟଣାରେ ବିବାଦ ଆରମ୍ଭ ହୋଇଥିଲା।

ଜୟ ଶାହାଙ୍କ ବିବୃତ୍ତିରେ ପାକିସ୍ତାନ ଆଶ୍ଚର୍ଯ୍ୟ ହୋଇଯାଇଛି। ଏହି ପ୍ରସଙ୍ଗରେ ଏସିଆନ କ୍ରିକେଟ ପରିଷଦର ଜରୁରୀ ବୈଠକ ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ଦାବି କରିଛି। ପିସିବି ଏସିସିରେ ଆବେଦନ କରି ଏସିଆନ କ୍ରିକେଟ ପରିଷଦକୁ ଜରୁରୀକାଳୀନ ବୈଠକ ଡାକି ଏ ସମ୍ପର୍କରେ ନିଷ୍ପତ୍ତି ନେବାକୁ କହିଥିଲେ। ପାକିସ୍ତାନ କ୍ରିକେଟ ବୋର୍ଡ କହିଥିଲା ଯେ, ପାକିସ୍ତାନରେ ଆୟୋଜିତ ହେବାକୁ ଥିବା ଏସିଆ କପ ଯଦି ଭାରତ ଏକ ନିରପେକ୍ଷ ସ୍ଥାନରେ ଆୟୋଜନ କରେ, ତେବେ ପିସିବି ଭାରତରେ ହେବାକୁ ଥିବା ୨୦୨୩ ଦିନିକିଆ ବିଶ୍ୱକପ ମଧ୍ୟ ନିରପେକ୍ଷ ସ୍ଥାନରେ ଆୟୋଜନ କରିବାକୁ ଦାବି କରିବ। ଏହା ସତ୍ତ୍ୱେ ବିଶ୍ୱକପ୍ ଭାରତରେ ଆୟୋଜନ ହେଲେ ପାକିସ୍ତାନ ସେଥିରେ ଅଂଶଗ୍ରହଣ କରିବ ନାହିଁ।

Related Posts