ରାଉରକେଲା: ରାଉରକେଲା ରାଏବଗା ଥାନା ଦଲକି ଗ୍ରାମପଞ୍ଚାୟତର କଲୋନୀ ପୋଡାଠାରେ ଅଘଟଣ । ଜନୈକ ପୂର୍ବତନ ପୁଲିସ କର୍ମଚାରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା । ମୃତକ କଳେବର ପ୍ରଧାନ(୬୨) ବୋଲି ଜଣାଯାଇଛି। ସେ ପୁଲିସ ବିଭାଗରେ କନେଷ୍ଟବଳ ଭାବରେ କାର୍ଯ୍ୟ କରୁଥିଲେ।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦଲକି ଗ୍ରାମପଞ୍ଚାୟତ କଲୋନୀ ପଡା ନିବାସୀ କଳେବର ପ୍ରଧାନ ଗତକାଲି ସନ୍ଧ୍ୟାରେ ତାଙ୍କ ସାଙ୍ଗ ସମୀର କିସାନଙ୍କ ସହିତ ମିଶି ମଦ୍ୟପାନ କରିଥିଲେ।

ରାତିରେ କଳେବର ପ୍ରଧାନ ସାଙ୍ଗ ସମୀରଙ୍କୁ ତାଙ୍କ ଘରେ ରହିଯିବାକୁ କହିଥିଲେ ଏବଂ ସେମାନେ ଦୁହେଁ ଆହୁରି ମଦ୍ୟପାନ କରିଥିଲେ। କୌଣସି କଥାକୁନେଇ ଦୁହିଁଙ୍କ ମଧ୍ୟ୍ୟରେ ସାମାନ୍ୟ ଝଗଡା ହୋଇଥିଲା। ମଦନିଶାରେ ଚୁର ହେବାପରେ ଗୋଟିଏ ଖଟରେ ସାଙ୍ଗହୋଇ ଶୋଇଥିଲେ।

ଭୋର ପ୍ରାୟ ପାଞ୍ଚଟା ସମୟରେ ଅଭିଯୁକ୍ତ ସମୀର ଶୋଇଥିବା ଅବସ୍ଥାରେ କଳେବରଙ୍କୁ ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଏହାଫଳରେ କଳେବର ଗୁରୁତର ଆହତ ହୋଇ ପଡ଼ିଥିଲେ। କଳେବରଙ୍କ ମୁଣ୍ଡ ଓ ପେଟରେ ଗଭୀର ଆଘାତ ହେବାରୁ ସେ ଖଟରୁ ତଳେ ପଡ଼ିଯାଇ ଛଟପଟ ହେଉଥିବା ବେଳେ ଅଭିଯୁକ୍ତ ସମୀର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପାଟିତୁଣ୍ଡ ଶୁଣି କଲେବରଙ୍କ ପରିବାର ଲୋକେ ଓ ପାଖପଡ଼ୋଶୀ ଏସମ୍ପର୍କରେ ରାଏବଗା ଥାନାକୁ ସୂଚନା ଦେଇଥିଲେ।

ଖବର ପାଇ ରାଏବଗା ଥାନା ଅଧିକାରୀ ସୂର୍ଯ୍ୟକାନ୍ତି ଦାଶ ପୁଲିସ ଦଳ ସହ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତ କଳେବର ପ୍ରଧାନଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ସମ୍ବଲପୁରର ବୁର୍ଲାକୁ ପଠାଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ କଳେବରଙ୍କ ଡାକ୍ତରଖାନାରେ ମୃତ୍ୟ ଘଟିଥିବା ଜଣାପଡିଛି। ଫେରାର ଅଭିଯୁକ୍ତ ସମୀର କିସାନଙ୍କୁ ରାଏବଗା ପୁଲିସ ଦଲକି ବ୍ରିଜ ନିକଟରୁ ଗିରଫ କରି ଥାନାକୁ ଆଣି ପଚରାଉଚରା କରୁଛି।