ଦିଲ୍ଲୀ: ବାଂଲାଦେଶ ଗସ୍ତରେ ଯିବ ଭାରତୀୟ କ୍ରିକେଟ୍ ଦଳ । ଆସନ୍ତା ଡିସେମ୍ବର ମାସରେ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଥିବା ବେଳେ ଭାରତୀୟ ଦଳ ସେଠାରେ ୩ଟି ଦିନିକିଆ ଓ ୨ଟି ଟେଷ୍ଟ ଖେଳିବାର କାର୍ଯ୍ୟକ୍ରମ ରହିଛି । ବାଂଲାଦେଶ କ୍ରିକେଟ୍ ବୋର୍ଡ ପକ୍ଷରୁ ଏହି ଗସ୍ତ କ୍ରୀଡ଼ାସୂଚୀ ଘୋଷଣା କରାଯାଇଛି ।
ଡିସେମ୍ବର ୪ତାରିଖରେ ଭାରତୀୟ ଦଳର ବାଂଲାଦେଶ ଗସ୍ତ କାର୍ଯ୍ୟକ୍ରମ ଆରମ୍ଭ ହେବ ।
ଦିନିକିଆ ସିରିଜରୁ ଅଭିଯାନ ଆରମ୍ଭ ହେବ । ମୀରପୁର ଷ୍ଟାଡିୟମରେ ୩ଟି(ଡିସେମ୍ବର ୪, ୭ ଓ ୧୦ ତାରିଖ) ଯାକ ଦିନିକିଆ ରହିଛି । ଏହାପରେ ଦଳ ଚଟ୍ଟୋଗ୍ରାମ୍ରେ ପ୍ରଥମ ଟେଷ୍ଟ ଖେଳିବ । ଡିସେମ୍ବର ୧୪ରୁ ୧୮ ତାରିଖ ମଧ୍ୟରେ ପ୍ରଥମ ଟେଷ୍ଟ ଖେଳାଯିବ । ଏହାପରେ ଦଳ ପୁନର୍ବାର ଢାକା ପ୍ରତ୍ୟାବର୍ତ୍ତନ କରି ଦ୍ୱିତୀୟ ଟେଷ୍ଟ ଖେଳିବ । ଡିସେମ୍ବର ୨୨ରୁ ୨୬ ତାରିଖ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ ।
ଭାରତୀୟ ଦଳ ଶେଷ ଥର ପାଇଁ ୨୦୧୫ରେ ବାଂଲାଦେଶ ଗସ୍ତ କରି ଗୋଟିଏ ଟେଷ୍ଟ ଓ ୩ଟି ଦିନିକିଆ ଖେଳିଥିଲା । ୧-୨ରେ ଦିନିକିଆ ସିରିଜ ପରାଜିତ ହୋଇଥିଲା ଭାରତ । ଟେଷ୍ଟ ମ୍ୟାଚ୍ ଡ୍ର’ ରହିଥିଲା । ଏଥର ଟେଷ୍ଟ ସିରିଜ ଭାରତ ପାଇଁ ଗୁରୁ୍ତ୍ୱପୂର୍ଣ୍ଣ । ବାଂଲାଦେଶ ଗସ୍ତ ବ୍ୟତୀତ ୨୦୨୩ ଫେବ୍ରୁଆରୀ/ମାର୍ଚ୍ଚରେ ଅଷ୍ଟ୍ରେଲିଆ ବିପକ୍ଷ ଘଷରାଇ ଟେଷ୍ଟ ସିରିଜ ସହ ଭାରତର ୨୦୨୧/୨୩ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଚକ୍ର ଶେଷ ହେବ।





