ବାଂଲାଦେଶଠାରୁ ୫ ରନରେ ହାରିଲା ଭାରତ

ଢାକା : ପୁଣିଥରେ ପରାଜୟର ସାମ୍ନା କରିଛି ଭାରତ । ଢାକାଠାରେ ଖେଳାଯାଇଥିବା ୨ୟ ଦିନିକିଆରେ ରୋହିତ ଶର୍ମାଙ୍କ ଲଢୁଆ ପ୍ରଦର୍ଶନ ସତ୍ତ୍ବେ ଭାରତ ବାଂଲାଦେଶଠାରୁ ୫ ରନରେ ହାରିଯାଇଛି ।

୨୭୨ରନର ପିଛା କରୁଥିବା ଟିମ ଇଣ୍ଡିଆ ଆରମ୍ଭରୁ ବିରାଟ କୋହଲି ଓ ଶିଖର ଧଓ୍ବନଙ୍କ ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ଏହା ପରେ କେଏଲ ରାହୁଲ ଓ ଓ୍ବାସିଂଟନ ସୁନ୍ଦର ମଧ୍ୟ ବିଶେଷ କିଛି ଯୋଗଦାନ ଦେଇପାରିନଥିଲେ । କିନ୍ତୁ ଶ୍ରେୟସ ଆୟର ଓ ଅକ୍ଷର ପଟେଲ ସତର୍କତାର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଆୟର ୮୨ ରନ ଓ ପଟେଲ ୫୬ ରନ କରିଥିଲେ । ଏହା ପରେ ଭାରତ ପୁଣି ଥରେ କିଛି ଓ୍ବିକେଟ ହରାଇଥିଲେ । ଆହତ ହୋଇଥିବା ରୋହିତ କିନ୍ତୁ ୯ମ ସ୍ଥାନରେ ଆସି ଲଢୁଆ ଖେଳ ପ୍ରଦର୍ଶନ କରିଥିଲେ । ସେ ୨୮ ବଲରେ ୫୧ ରନ କରି ଭାରତ ବିଜୟ ଆଶା ସଂଚାର କରିଥିଲେ । କିନ୍ତୁ ଭାରତ ୫ ରନ ପଛରେ ପଡ଼ିଯାଇଥିଲା ।

ଏହି ମ୍ୟାଚରେ ବାଂଲାଦେଶ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଆରମ୍ଭରୁ ବେଶ କେତୋଟି ଓ୍ବିକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ବାଂଲାଦେଶ । କିନ୍ତୁ ଗତ ମ୍ୟାଚ ପରି ଏହି ମ୍ୟାଚରେ ବି ମେହଦି ହାସାନ ମିରାଜ୍ ଲଢୁଆ ବ୍ୟାଟିଂ କରି ଭାରତର ଆଶାକୁ ନିରାଶାରେ ପରିଣତ କରିଦେଇଥିଲେ । ସେ ମାତ୍ର ୮୩ଟି ବଲରୁ ଶତକ ହାସଲ କରି ମ୍ୟାଚର ଗତିପଥକୁ ବଦଳାଇଦେଇଥିଲେ । ନିଜର ଏହି ଇନିଂସରେ ସେ ୪ଟି ଛକା ଓ ୮ଟି ଚୌକା ମାରିଥିଲେ । ସେହିପରି ମହମ୍ମଦୁଲ୍ଲା ୯୬ଟି ବଲରୁ ୭୭ ରନର ଯୋଗଦାନ ଦେଇଥିଲେ ।

ଭାରତ ପକ୍ଷରୁ ଓ୍ବାସିଂଟନ ସୁନ୍ଦର ୩ଟି ଓ୍ବିକେଟ ନେଇଥିବାବେଳେ ମହମ୍ମଦ ସିରାଜ ଓ ଉମରାନ ମଲ୍ଲିକ୍ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ

Related Posts