ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାତି ସାରା ଜିଲ୍ଲାପାଳଙ୍କ ଅଫିସ୍ ଘେରିଲେ ଆଦିବାସୀ । ସୁନ୍ଦରଗଡ଼ ରାଜରାସ୍ତାରେ ବିସ୍ଥାପନକୁ ବିରୋଧ କରି ଆଦିବାସୀଙ୍କ ପ୍ରତିବାଦ ଶୋଭାଯାତ୍ରା । ଜୀବନ ଦେବୁ ପଛେ ଜମି ଦେବୁ ନାହିଁ । ଜମି ଅଧିଗ୍ରହଣକୁ ବିରୋଧ କରି ପ୍ରତିବାଦ କରୁଥିବା ଆଦିବାସୀ ଗତକାଲି ଦୀର୍ଘ ୬୫ କିଲୋମିଟର ପଦଯାତ୍ରା କରି ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ଏହାପରେ ପ୍ରତିବାଦ କରି କାର୍ଯ୍ୟାଳୟ ସମ୍ମୁଖ ରାଜରାସ୍ତାରେ ଧାରଣାରେ ବସିଥିଲେ। ଆଦିବାସୀ ମାନେ ସାରା ରାତି ମଧ୍ୟ ସେହି ରାଜରାସ୍ତାରେ ଧାରଣାରେ ବସିଥିଲେ ।ଫଳରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜିଲ୍ଲାପାଳ ନିଜ କାର୍ଯ୍ୟାଳୟରୁ ବାହାରି ପାରିନଥିଲେ ।

ତେବେ ଆଲୋଚନା ପାଇଁ ଆଦିବାସୀଙ୍କ ଜଣେ ପ୍ରତିନିଧିଙ୍କୁ ଜିଲ୍ଲାପାଳ ଡକାଇ ଥିବା ବେଳେ ଏଥିରେ ରାଜି ହୋଇନଥିଲେ ଆନ୍ଦୋଳନକାରୀ । ଏବଂ ଜିଲ୍ଲାପାଳ ନିଜେ ରାଜରାସ୍ତା ଉପରକୁ ଆସି ତାଙ୍କ ସହ ଆଲୋଚନା କରନ୍ତୁ ବୋଲି ଅଡ଼ି ବସିଥିଲେ । ୧୮ ତାରିଖରୁ ରାଜଗାଙ୍ଗପୁର କେଶ୍ରାମାଲରୁ ବାହାରି ଶହ ଶହ ବିକ୍ଷୋଭକାରୀ ଶୁକ୍ରବାର ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଅଫିସ୍ ପାଖରେ ପହଂଚିଥିଲେ । ସେହିଠାରେ ସେମାନେ ରାତିରେ ଖୋଲା ଆକାଶ ତଳେ ପ୍ରତିବାଦ ଜାରି ରଖିଛନ୍ତି ।

ସୂଚନା ଅନୁସାରେ, ରାଜଗାଙ୍ଗପୁର ବ୍ଲକର ଝଗରପୁର, କେଶରାମାଲ, ଅଲଣ୍ଡା, କୁକୁଡ଼ା ଓ କୁତ୍ରା ବ୍ଲକର ଖଟଙ୍ଗ ପଞ୍ଚାୟତରେ ୭୧୭ ଏକର ଜମି ଅଧିଗ୍ରହଣ କରିବ ଓସିଏଲ । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହାକୁ ବିରୋଧ କରିଆସୁଛନ୍ତି ଆଦିବାସୀ ।