ଅବପାତର ରୂପ ନେଲା ଲଘୁଚାପ; ୨୫ରେ ସମ୍ଭାବ୍ୟ ବାତ୍ୟା ପଶ୍ଚିମବଙ୍ଗ-ବାଂଲାଦେଶ ମଧ୍ୟରେ ଉପକୂଳ ଛୁଇଁବା ସମ୍ଭାବନା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଣ୍ଡାମାନସାଗର ନିକଟବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପଟି ଅବପାତର ରୂପ ନେଇଛି । ଅବପାତଟି ୨୩ ତାରିଖ ସକାଳୁ ଦକ୍ଷିଣ-ପଶ୍ଚିମ ଦିଗରେ ଗତି କରିବ ଓ ତାପରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ସାମୁଦ୍ରିକ ଝଡରେ ପରିଣତ ହେବ । ବାତ୍ୟାର ରୂପ ନେଇ ସମୁଦ୍ର ଭିତରେ ଗତି କରିବ । ୨୫ ତାରିଖ ସକାଳୁ ପଶ୍ଚିମବଙ୍ଗ ଓ ବାଂଲାଦେଶ ମଝିରେ ଉପକୂଳ ଛୁଇଁବ । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୨୩ ତାରିଖରେ ମଝି ସମୁଦ୍ର ସମେତ ଓଡ଼ିଶା ଉପକୂଳ ଓ ଆଖପାଖ ଅଞ୍ଚଳରେ ପବନର ବେଗ ୩୫ରୁ ୪୫ କିଲୋମିଟର ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ନରହିଲେ ମଧ୍ୟ ଉପକୂଳ ଜିଲ୍ଲା ଗୁଡ଼ିକର କିଛି ଅଞ୍ଚଳରେ ବର୍ଷା ହେବ । ୨୩ ତାରିଖରୁ ବର୍ଷା ହୋଇପାରେ । ସେଥିପାଇଁ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ତେବେ ୨୪ ତାରିଖରେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । କେନ୍ଦୁଝର, ମୟୂରଭଂଜ, ଯାଜପୁର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ସେହିପରି ୨୫ ତାରିଖ ପାଇଁ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ ।

Related Posts