ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ପରେ ଏବେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଞ୍ଝୀଙ୍କ ବୟାନ ପୁଣିଥରେ ବିହାର ରାଜନୀତିକୁ ସରଗରମ କରିଛି। ତେବେ ରାଜ୍ୟରେ ନିକଟରେ ଗଠନ ହୋଇଥିବା ମହାମେଣ୍ଟ ସରକାରର ଅନ୍ୟତମ ସହଯୋଗୀ ଦଳ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚାର ନେତା ମାଞ୍ଝୀ ବିଜେପି-ଜେଡିୟୁ ସମ୍ପର୍କକୁ ନେଇ ଏକ ବଡ଼ ବିବୃତ୍ତି ଦେଇଛନ୍ତି।

ସେ କହିଛନ୍ତି ଯେ, ଯଦି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସରକାର ଚଳାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ଯଦି ସେ ରାଜ୍ୟର ବିକାଶ ପାଇଁ ପୁନର୍ବାର ବିଜେପି ସହ ହାତ ମିଳାଇବେ ତେବେ ସେ ଏହି ପଦକ୍ଷେପକୁ ସ୍ୱାଗତ କରିବେ। ନୀତିଶ ପୁଣି ବିଜେପି ସହିତ ଆସିଲେ ସେ ଖୁସି ହେବେ। ରାଜନୀତିରେ କିଛି ବି ସମ୍ଭବ ହୋଇପାରେ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଯଦି ନୀତୀଶ କୁମାର ବିହାରର ବିକାଶ ପାଇଁ ପକ୍ଷ ପରିବର୍ତ୍ତନ କରିବାକୁ ଚାହାଁନ୍ତି, ତେବେ ଆମେ ସବୁବେଳେ ତାଙ୍କ ସହିତ ଛିଡ଼ା ହେବୁ । ମାଞ୍ଝୀଙ୍କ ଏହି ବିବୃତ୍ତି ପରେ ବିହାରର ରାଜନୀତି ପୁଣି କଡ ଲେଉଟାଇବ ବୋଲି ଆଶଙ୍କା କରାଯାଉଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏକଦା ନୀତିଶଙ୍କ ଅନୁଗତ ଥିବା ଜିତନ ରାମ ମାଞ୍ଝୀ ପରେ ନୀତିଶଙ୍କ ସହିତ ବିବାଦ ହେବାରୁ ସେ ଜେଡିୟୁରୁ ବାହାରି ନିଜର ଏକ ରାଜୈନିତକ ଦଳ ଗଢିଛନ୍ତି। ଏବେ ସେ ନୂଆ ରାଜ୍ୟରେ ଗଠନ ହୋଇଥିବା ମହାମେଣ୍ଟ ସରକାରର ସହଯୋଗୀ ଦଳ ଭାବେ ଅଛନ୍ତି।

ତେବେ ମାଞ୍ଝୀଙ୍କ ବୟାନ ପାରେ ବିଜେପି ମୁଖପାତ୍ର ଅରବିନ୍ଦ ସିଂ କହିଛନ୍ତି ଯେ, ଏହା ଜୀତନ ରାମଙ୍କ ନିଜସ୍ୱ ବିବୃତ୍ତି ହୋଇପାରେ। କିନ୍ତୁ, ବର୍ତ୍ତମାନ ବିଜେପିରେ ନୀତିଶ କୁମାରଙ୍କ ପାଇଁ କୌଣସି ସ୍ଥାନ ନାହିଁ।

ଏହାସହ ଜେଡିୟୁ ଏହି ମନ୍ତବ୍ୟ ନେଇ କହିଛି ଯେ, ବିହାର ଏବଂ ଜେଡିୟୁର ସ୍ୱାର୍ଥରେ ନୀତୀଶ କୁମାର ବିଜେପି ସହ ନରହିବାକୁ ନିଷ୍ପତ୍ତି ନେଇସାରିଛନ୍ତି। ମହାମେଣ୍ଟରେ ଏବେ ୭ଟି ରାଜନୈତିକ ଦଳ ରହିଛି। ଭାରତୀୟ ଜନତା ପାର୍ଟି ସହିତ ମେଣ୍ଟ କରିବାର କୌଣସି ପ୍ରଶ୍ନ ଉଠୁନାହିଁ ବୋଲି ଦଳ କହିଛି।