ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦ ସାଟାନିକ୍ ଭର୍ସେସ୍‌ର ଲେଖକ ସଲମାନ ରୁସ୍‌ଦିଙ୍କ ଉପରେ ଗତ ଅଗଷ୍ଟମାସରେ ନ୍ୟୁୟର୍କରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ସେବେଠାରୁ ଏହି ବିଶିଷ୍ଟ ବ୍ରିଟିଶ ଲେଖକ ଚିକିତ୍ସାଧୀନ ଥିଲେ। ତେବେ ଏହି ଆକ୍ରମଣ ଫଳରେ ସଲମାନ ଏବେ ନିଜର ଗୋଟିଏ ଆଖି ହରାଇଥିବା ବେଳେ ତାଙ୍କର ଗୋଟିଏ ହାତ ମଧ୍ୟ ଚଳୁନି ବୋଲି ତାଙ୍କର ଏଜେଣ୍ଟ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ, ୧୯୮୦ ଦଶକରେ ସଲମାନଙ୍କର ଉପନ୍ୟାସ ‘ଦ ସାଟାନିକ୍ ଭର୍ସେସ୍’ ପ୍ରକାଶ ପାଇବା ପରେ ୭୫ ବର୍ଷୀୟ ରୁସ୍‌ଦିଙ୍କୁ ଇରାନରୁ ହତ୍ୟା ଧମକ ମିଳିଥିଲା।ଗତ ଅଗଷ୍ଟ ୧୨ ତାରିଖରେ ନ୍ୟୁୟର୍କରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେବାକୁ ଠିଆହେବା ବେଳେ ହଦି ମାତାର ନାମକ ଜଣେ ୨୪ ବର୍ଷୀୟ ଯୁବକ ତାଙ୍କ ଉପରେ ଅନେକ ବାର ଛୁରି ରେ ଆକ୍ରମଣ କରିଥିଲା। ଆଜି ପର୍ଯ୍ୟନ୍ତ ଏହି ଆକ୍ରମଣରେ ସେ କେତେ ପରିମାଣରେ ଆହତ ହୋଇଥିଲେ ତାହା ସ୍ପଷ୍ଟ ସୂଚନା ମିଳିନଥିଲା। ତାଙ୍କର ଏଜେଣ୍ଟ ଆଣ୍ଡ୍ରୁ ୱିଲି ଏକ ସାକ୍ଷାତ୍‌କାରରେ ସ୍ପଷ୍ଟ କରିଛନ୍ତି ଯେ ଆକ୍ରମଣ ଅତ୍ୟନ୍ତ ମାରାତ୍ମକ ଥିଲା। ଏଥିରେ ୭୫ ବର୍ଷୀୟ ଲେଖକ ନିଜର ଗୋଟିଏ ଆଖି ହରାଇବା ସହ ତାଙ୍କର ଗୋଟିଏ ହାତ ମଧ୍ୟ ଅଚଳ ହୋଇଯାଇଛି। ତାଙ୍କର ବେକ, ଛାତି ଓ ପେଟ ଆଦିରେ ୧୫ଟି କ୍ଷତ ହୋଇଥିଲା। ତେବେ ସବୁଠାରୁ ବଡ଼କଥା ହେଉଛି, ଡାକ୍ତରମାନଙ୍କର ନିଷ୍ଠାପର ଚିକିତ୍ସା ଫଳରେ ତାଙ୍କର ଜୀବନ ବଞ୍ଚିଯାଇଛି।