ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗାଁରେ ବେଧଡକ ଚାଲିଛି ଦେଶୀ ମଦ କାରବାର । ମଦ ଯୋଗୁଁ ଘରେ ଘରେ ଲାଗିରହିଛି ଅଶାନ୍ତି ଓ ବିଶୃଙ୍ଖଳା। ଏଥିରେ ଅତିଷ୍ଠ ହୋଇ ଆଜି ଅବକାରୀ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ଶତାଧିକ ମହିଳା ।

ଆନନ୍ଦପୁର ଉପଖଣ୍ଡ ଘଷିପୁରା ଅବକାରୀ ବିଭାଗ ଅଧୀନ କୁମୁଣିଆ ଗାଁରେ ଦେଶୀ ମଦକୁ ନେଇ ତାତିଛନ୍ତି ମହିଳା । ଘରର ପୁରୁଷ ଲୋକ ମାନେ ଗାଁରେ ବିକ୍ରି ହେଉଥିବା ବେଆଇନ୍ ଦେଶୀ ମଦ ପିଇବା ସହିତ ମହିଳାମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ ଓ ମାରପିଟ୍ କରୁଥିବା ଅଭିଯୋଗ କରିଛନ୍ତି ମହିଳା । ମହିଳା ମାନେ ମୂଲ ମଜୁରୀ କରି ଯାହା ଦୁଇ ପଇସା ରୋଜଗାର କରୁଛନ୍ତି ତାକୁ ନେଇ ପୁରୁଷ ମାନେ ମଦରେ ଉଡ଼ାଇ ଦେଉଛନ୍ତି ।

ଦେଶୀ ମଦ ଯୋଗୁ ଘରର ଛୋଟ ଛୁଆମାନେ ପାଠ ନପଢ଼ି ପଥଭ୍ରଷ୍ଟ ହେଉଛନ୍ତି । ବାରମ୍ଵାର ଘଟଣା କୁ ନେଇ ଥାନା ଓ ଅବକାରୀ କାର୍ଯ୍ୟାଳୟରେ ଅଭିଯୋଗ ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଯାହାକୁ ନେଇ ମହିଳାମାନେ ତାତିବା ସହିତ ଅବକାରୀ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।