ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଚାବୁକ ମାଡ ଖାଇଲେ ଛତିଶଗଡ ମୁଖ୍ୟମନ୍ତ୍ରୀ । ଏକ ଭିଡିଓରେ ଭୂପେଶ ବଘେଲ ହାତ ଦେଖାଇ ଛିଡ଼ା ହୋଇଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତି ସମସ୍ତଙ୍କ ସାମ୍ନାରେ ତାଙ୍କୁ ଚାବୁକରେ ପ୍ରାହର ଉପରେ ପ୍ରାହର କରୁଥିବା ଦେଖିବାକୁ ମିଳିଛି ।
ତେବେ ଆଜି ଦୀପାବଳିର ଦ୍ୱିତୀୟ ଦିନରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଦୁର୍ଗ ଜିଲ୍ଲାର ଜଞ୍ଜଗିରି ଗାଁରେ ଗୌରା-ଗୌରୀ ପୂଜାରେ ସାମିଲ ହୋଇଥିଲେ।ଏଥିରେ ସାମିଲ ହୋଇ ସେ ରାଜ୍ୟବାସୀଙ୍କ ସୁଖ-ସମୃଦ୍ଧି ପାଇଁ କାମନା କରିଥିଲେ। ପୂଜା ପରମ୍ପରା ଅନୁଯାୟୀ ସେ ଏଠାରେ ଚାବୁକ ମାଡ ଖାଇଥିବା ଜଣାପଡ଼ିଛି। ପୂଜା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ହାତକୁ ଚାବୁକରେ ପାଞ୍ଚ ଥର ପ୍ରହାର କରିଥିଲେ ବୀରେନ୍ଦ୍ର ଠାକୁର ନାମକ ଜଣେ ବ୍ୟକ୍ତି।ଏହି ପୂରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି।
ସୂଚନା ଅନୁସାରେ, ଛତିଶଗଡରେ ଏକ ଲୋକ ବିଶ୍ୱାସ ରହିଛି ଯେ ଗୌରା-ଗୌରୀ ପୂଜା ଅବସରରେ ଚାବୁକ ମାଡ ଖାଇବା ଦ୍ୱାରା ଯନ୍ତ୍ରଣାକୁ ଦୂର ହୋଇଥାଏ, ଶାରୀରିକ ସମସ୍ୟା ଦୂର ହେବା ସହ ଘରକୁ ସୁଖ ସମୃଦ୍ଧି ଆସିଥାଏ। ପ୍ରତିବର୍ଷ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଏହି ପୂଜା କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତି। ରାଜ୍ୟବାସୀଙ୍କ ସୁଖ ସମୃଦ୍ଧି କାମନା କରିବା ସହ ଏଭଳି ଚାବୁକ ମାଡ ଖାଇଥାନ୍ତି।
