ନୂଆଦିଲ୍ଲୀ: ଗତକାଲି ଥିବା ଆଲୋକର ପର୍ବ ଦୀପାବଳି । ଏନେଇ ବେଶ୍ ଧୁମ୍ ଧାମରେ ସମସ୍ତେ ଏହି ପର୍ବକୁ ପାଳନ କରିଛନ୍ତି । ଏହି ଅବସରରେ ଦୀପ ଓ ମାଟି ପତ୍ରର ବେଶ୍ ଆସରା ଜମିଥିବା ଦେଖିବାକୁ ମିଳିଛି । ତେବେ ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଏକ ଭାଇରାଲ ଭିଡ଼ିଓ ଏବେ ସମସ୍ତଙ୍କୁ ଚକିତ କରିଛି । ରାସ୍ତା କଡ଼ରେ ଦୀପ ଓ ମାଟିର ବିଭିନ୍ନ ପାତ୍ର ବିକ୍ରି ହେଉଥିବା ବେଳେ ଜଣେ ମହିଳା ରାସ୍ତା କଡ଼‌ରେ ବସିଥିବା ଜଣେ ବେପାରୀଙ୍କ ଦୀପକୁ ବାଡ଼େଇ ଭାଙ୍ଗୁଥିବା ବେଳର ଏକ ଭିଡିଓ ନିକଟରେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ଭିଡିଓରେ ଦେଖିବାକୁ ମିଳିଥିବା ମହିଳା ଜଣକ ହେଉଛନ୍ତି ବୃତ୍ତିରେ ଜଣେ ଡାକ୍ତର। ସେ ହେଉଛନ୍ତି ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ଶଙ୍କରଲାଲ୍‌ଙ୍କ ଝିଅ। ଜାଣିବାକୁ ମିଳିଛି ‌ଯେ ତାଙ୍କ ଘର ସାମ୍ନାରେ ସ୍ଥାନୀୟ ବେପାରୀ ନିଜର ପସରା ମେଲାଇ ବେପାର କରୁଥିବାରୁ ମହିଳା ଡାକ୍ତର ଜଣକ ରାଗି ଯାଇ ଏକ ଠେଙ୍ଗାରେ ଉକ୍ତ ବେପାରୀଙ୍କ ମାଟି ସାମଗ୍ରୀକୁ ଭାଙ୍ଗିବ‌ାକୁ ଲାଗିଥିଲେ।

ଆଜ୍‌ତକ୍‌‌କୁ ନିଜର ବୟାନ ଦେଇ ବେପାରୀ ଜଣକ କହିଛନ୍ତି ଯେ ପ୍ରଥମେ ମହିଳା ଜଣକ ଆସି ସେଠାରୁ ତାଙ୍କ ଦୋକାନ ଉଠାଇବାକୁ କହିଥିଲେ। ସେ ମନା କରିବାରୁ ପ୍ରଥମେ ମହିଳା ଜଣକ ପାଣି ଆଣି ତାଙ୍କ ଦୀପରେ ଢାଳି ଥିଲେ ଓ ପରେ ଏକ ଠେଙ୍ଗା ଆଣି ବାଡ଼େଇକି ଭାଙ୍ଗିବାକୁ ଲାଗିଥିଲେ।

ଏହି ଭିଡିଓକୁ ଟ୍ବିଟର୍‌ରେ ସେୟାର କରି ପିୟୂଷ ରାଜ ନାମକ ଜଣେ ଟ୍ବିଟର୍‌ ବ୍ୟବହାରକାରୀ ଲକ୍ଷ୍ମୌ ପୁଲିସ୍‌କୁ ଟ୍ୟାଗ୍ କରି କାର୍ଯ୍ୟାନୁ‌ଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ପୁଲିସ୍‌ ସେହି ଟ୍ବିଟର୍‌ର ଉତ୍ତର ଦେଇଛି ।