ବାରିପଦା :ମୟୂରଭଞ୍ଜ ଜିଲ୍ଲା ବାରିପଦାର ରଘୁନାଥପୁର ଅଞ୍ଚଳରେ ପୁରୁଣା ଭିଡିଓ ଭାଇରାଲକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି । ଫଳରେ ଏହି ସଂଘର୍ଷରେ ୭ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୭ଜଣ ଆହତଙ୍କ ମଧ୍ୟରେ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ରଘୁନାଥପୁର ସ୍ଥିତ ଏକ ବସ୍ତିର କିଛି ଯୁବକ ବାରିପଦା ସହରର ଏକ ନିର୍ଦ୍ଦିଷ୍ଟ ଯୁବ ଗୋଷ୍ଠୀର କିଛି ଯୁବକଙ୍କର ପୁରୁଣା ଭିଡିଓ ଭାଇରାଲ କରିଥିଲେ। ଏନେଇ ଗତକାଲି ରାତିରେ ନିର୍ଦ୍ଦିଷ୍ଟ ଯୁବ ଗୋଷ୍ଠୀର ୫୦ରୁ ଊର୍ଦ୍ଧ ଯୁବକ ଏକତ୍ରିତ ହୋଇ ରଘୁନାଥପୁର ସ୍ଥିତ ଏକ ବସ୍ତିକୁ ଯାଇଥିଲେ। ସେଠାରେ ଯୁବକମାନଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଉଭୟ ମଧ୍ୟରେ ମାରପିଟ୍ ଓ ହଣାକଟାରେ ଉଭୟ ଗୋଷ୍ଠୀର ୭ଜଣ ଯୁବକ ଆହତ ହୋଇଥିଲେ। ବାରିପଦା ଟାଉନ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଦୁଇ ଗୋଷ୍ଠୀ ପକ୍ଷରୁ ଏନେଇ ଥାନାରେ ଅଭିଯୋଗ ହୋଇ ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।





