ଧାମନଗର ଉପନିର୍ବାଚନ; ୩୧ରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭର୍ଚୁଆଲ୍‌ ପ୍ରଚାର କରିବେ ନବୀନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଧାମନଗର ଉପନିର୍ବାଚନ ପାଇଁ ଏବେ ଜୋରଦାର ପ୍ରଚାର ଚାଲିଛି। ସବୁ ଦଳ ନିଜ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ମାଗିବାକୁ ଲୋକଙ୍କ ନିକଟକୁ ଯାଉଛନ୍ତି। ନିର୍ବାଚନର ତାରିଖ ପଖାଉଥିବା ବେଳେ ଆଗକୁ ହେବିୱେଟ୍ ନେତାଙ୍କ ପ୍ରଚାର ଦେଖିବାକୁ ମିଳିବ। ଶାସକ ବିଜେଡ଼ି ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବାକୁ ଯାଉଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଅକ୍ଟୋବର ୩୧ ତାରିଖରେ ଦଳୀୟ ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ଭର୍ଚୁଆଲ୍‌ ପ୍ରଚାର କରିବେ ବୋଲି ସୂଚନା ମିଳିଛି।

ପୂର୍ବରୁ ୨୦୨୦ରେ ହୋଇଥିବା ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଥିଲା। ସେହି ଦୁଇ ନିର୍ବାଚନରେ ମଧ୍ୟ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ୍‌ ପ୍ରଚାର କରିଥିଲେ। ଏବେ ଦୁଇ ବର୍ଷ ପରେ ପୁଣି ଇତିହାସ କଡ଼ ଲେଉଟିବ ବୋଲି ଦଳର ନେତା ମାନେ ଆଶା ରଖିଛନ୍ତି । ବିଜେଡି ପୂର୍ବରୁ ଲଢ଼ିଥିବା ସମସ୍ତ ଉପନିର୍ବାଚନ ଜିତିବା ଭଳି ଏହି ନିର୍ବାଚନରେ ମଧ୍ୟ ବହୁ ଭୋଟରେ ଜିତିବ । ସମସ୍ତ ଶ୍ରେୟ ଦଳର ମୁଖିଆ ନବୀନଙ୍କର ବୋଲି ବରିଷ୍ଠ ନେତା କହିଛନ୍ତି ।

ଅନ୍ୟପଟେ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବାକୁ ଆସିବେ ୩ କେନ୍ଦ୍ରମନ୍ତ୍ରୀ । ଆସନ୍ତା ୨୭ ଓ ୨୮ ତାରିଖ ଦୁଇ ଦିନ ଧରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ପାଇଁ ଆସିବେ । ସେହିପରି ପରେ ପରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଓ ରେଳମନ୍ତ୍ରୀ ଅଶ୍ୱିନୀ କୁମାର ବୈଷ୍ଣବ ଆସିବେ ବୋଲି ବରିଷ୍ଠ ବିଜେପି ନେତା ସୂଚନା ଦେଇଛନ୍ତି ।ତେବେ ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ନେଇ ଚୂଡାନ୍ତ ହେବ ବୋଲି ସେ କହିଛନ୍ତି ।

ସେହିପରି ଆସନ୍ତା ୨୭ ତାରିଖରୁ ଧାମନଗରରେ କଂଗ୍ରେସର ପ୍ରଚାରର ମଙ୍ଗ ଧରିବେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ । ସେ ୨୯ ତାରିଖ ପର୍ଯ୍ୟନ୍ତ ସେଠାରେ ପ୍ରଚାର କରିବେ । ପରେ ୩୦ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱର ଫେରି ଆସିବେ । ୩୧ରେ ଇନ୍ଦିରା ଗାନ୍ଧୀ ପାର୍କରୁ ଭାରତ ଯୋଡୋ ଯାତ୍ରା ଆରମ୍ଭ ହେବ । ତେବେ ଧାମନଗର ପ୍ରଚାର ବେଳେ ଏଆଇସିସି ସଂଖ୍ୟାଲଘୁ ସେଲ୍‌ ଅଧ୍ୟକ୍ଷ ଇମରାନ୍‌ ପ୍ରତାପଗଡ଼ି ଆସିବା ନେଇ ଆଲୋଚନା ହୋଇଛି । ଏହା ସହିତ ରାଜ୍ୟ କଂଗ୍ରେସ ପ୍ରଭାରୀ ସାଂସଦ ଡ. ଏ ଚେଲ୍ଲା କୁମାର, ଏଆଇସିସି ସମ୍ପାଦକ ଜି ରୁଦ୍ର ରାଜୁ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ବିଧାୟକ ସୁରେଶ ରାଉତରାୟଙ୍କ ସମେତ ୩୦ ବରିଷ୍ଠ ନେତା ପ୍ରଚାର କରିବେ ।

Related Posts