ଭାରତୀୟ ଖେଳାଳିଙ୍କୁ ଭଲ ଖାଇବା ନ ମିଳିବା ନେଇ ରାଗିଲେ ବୀରେନ୍ଦ୍ର ସେହଓ୍ୱାଗ: ଯଦି ଆତିଥ୍ୟତା ଶିଖିବାର ଅଛି ତେବେ ଭାରତଠୁ କିଛି ଶିଖ

ନୂଆଦିଲ୍ଲୀ : ଟି-୨୦ ବିଶ୍ୱକପ ୨୦୨୨ ଆରମ୍ଭ ହୋଇଯାଇଥିବା ବେଳେ, ଭାରତ ପ୍ରଥମ ବିଜୟ ସହ ବିଜୟ ଯାତ୍ରା ଆରମ୍ଭ କରିଛି। କିନ୍ତୁ ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍ ପୂର୍ବରୁ ଦେଖିବାକୁ ମିଳିଛି ବିବାଦ ।

ସିଡନୀରେ ପ୍ରାକ୍ଟିସ ସମୟରେ ଭାରତୀୟ ଖେଳାଳିଙ୍କୁ ନାଁ ଭଲ ଖାଇବା ଦିଆଯାଇଥିଲା ନାଁ ପ୍ରାକ୍ଟିସ ପାଇଁ ମିଳିଥିଲା ପଡିଆ । ଯେଉଁ ପଡିଆରେ ପ୍ରାକ୍ଟିସ୍ କରିବାକୁ ଅନୁମତି ମିଳିଥିଲା ତା ଥିଲା ବହୁ ଦୂରରେ । ଅର୍ଥାତ୍ ଖେଳାଳି ରହୁଥିବା ହୋଟେଲ ଠାରୁ ୪୨ କିଲୋମିଟର ଦୂରରେ । ଏସବୁକୁ ଅସନ୍ତୋଷ ଜାହିର କରିଥିଲେ ମ୍ୟାନେଜମେଣ୍ଟ । ଏପରିକି ବିସିସିଆଇ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଥିଲା ।

ଏବେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ତମ୍ୱିତୋଫାନ । ଏପରିକି ପୂର୍ବତନ ଖେଳାଳି ମାନେ ଘଟଣାକୁ ନେଇ ଭଡକିଛନ୍ତି । ଭାରତର ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହଓ୍ୱାଗ ପ୍ରତିକ୍ରିୟା ରଖିଛନ୍ତି । ଟ୍ୱିଟ କରି ସେ କହିଛନ୍ତି ସେ ଦିନ ଗଲାଣି ଯେତେବେଳେ ପଶ୍ଚିମ ଦେଶଗୁଡିକୁ ସବୁ ସୁବିଧା ସୁଯୋଗ ମିଳୁଥିଲା । ଏବେ ଏସବୁଥିରେ ବହୁ ଆଗରେ ଭାରତ । ଯଦି ଆତିଥ୍ୟତା ଶିଖିବାର ଅଛି ତେବେ ଭାରତଠୁ କିଛି ଶିଖ ।

ସୂଚନା ଥାଉକି, ବୁଧବାର ଏହି ଘଟଣା ଜଣାପଡିବା ପରେ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ମଙ୍ଗଳବାର ଖେଳାଳି ମାନେ ଅଭ୍ୟାସ କରୁଥିବାବେଳେ ସେମାନଙ୍କୁ ଥଣ୍ଡା ଖାଦ୍ୟ ପରଷାଯାଇଥିଲା । ଖାଦ୍ୟ ବି ସେମିତି ଆଖି ଦୃଶିଆ ନଥିଲା । ଦୁଇ ଘଣ୍ଟାର ଲମ୍ୱା ପ୍ରାକ୍ଟିସ ପରେ ଏମିତି ଖାଦ୍ୟ ଦେଖି ଖେଳାଳିମାନେ ଜାହିର କରିଥିଲେ ସେମାନଙ୍କର ଅସନ୍ତୋଷ ।

Related Posts