ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ରିତା ସାହୁଙ୍କୁ ଆଜି ବିରୋଧର ସାମ୍ନା କରିବାକୁ ପଡିଛି। ମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡାମାଡ଼ ଓ କଳା ପତାକା ପ୍ରଦର୍ଶନ କରାଯାଇଛି। ତୃତୀୟ ପର୍ଯ୍ୟାୟରେ ୫ଟି ସ୍କୁଲ ରୁପାନ୍ତରୀକରଣ ପାଇଁ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ଠାରେ ଆୟୋଜିତ ସଭାରେ ଯୋଗ ଦେବା ପାଇଁ ରିତା ସାହୁ ଯିବା ବେଳେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ତାଙ୍କୁ ବିରୋଧ କରାଯାଇଛି। ମନ୍ତ୍ରୀଙ୍କୁ ବିଜେପି ଯୁବମୋର୍ଚ୍ଚା କଳା ପତାକା ପ୍ରଦର୍ଶନ କରିବା ସହ ଅଣ୍ଡା ମାଡ଼ କରିଛି। ଏହାପରେ ବିଜେପି ଯୁବମୋର୍ଚ୍ଚାର ୬ ଜଣ ସଦସ୍ୟଙ୍କୁ ଗିରଫ କରିଛି ପାଇକମାଳ ପୁଲିସ ।
ସୂଚନା ଅନୁସାରେ, ମନ୍ତ୍ରୀ ରିତା ସାହୁ ଆଜି ପାଇକମାଳ ଯମୁନା କନ୍ଧୁଣୀ ହାଇସ୍କୁଲର ୫ଟି ରୁପନ୍ତରୀକରଣ କାର୍ଯ୍ୟକ୍ରମ ସାରି ନୃସିଂହନାଥ ଏସଏସଡି ହାଇସ୍କୁଲକୁ ଆସୁଥିବା ବାଟରେ ସ୍ଥାନୀୟ ତହସିଲ ଛକରେ ବିଜେପି କର୍ମୀମାନେ କଳା ପତାକା ଦେଖାଇବା ସହ ତାଙ୍କୁ ଅଣ୍ତା ମାଡ କରିଥିଲେ। ଏହି ଘଟଣାରେ ପାଇକମାଳ ପୁଲିସ୍ ଏବେ ୬ ଜଣଙ୍କୁ ଗିରଫ କରିଛି।
