ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) : କଟକର ଏସସିବି ମେଡିକାଲ ଉପରେ ରାଜ୍ୟ ଓ ରାଜ୍ୟ ବାହାରେ ଅନେକ ରୋଗୀ ନିର୍ଭର କରିଥାନ୍ତି। ପ୍ରତ୍ୟେକ ଦିନ ଏଠାକୁ ହଜାର ହଜାର ରୋଗୀ ଆସୁଥିବା ବେଳେ ଏଠାରେ ଥିବା ଦଲାଲ ମାନଙ୍କର ଶୋଷଣର ଶିକାର ହୋଇଥାନ୍ତି। ଓପିଡି ଠାରୁ କାଜୁଆଲଟି, ରକ୍ତ ଭଣ୍ଡାର ଠାରୁ ମେଡିସିନ ବିଭାଗ ସବୁ ସ୍ଥାନରେ ଦଲାଲ ମାନେ ସକ୍ରିୟ ରହିଛନ୍ତି। ଏନେଇ ପ୍ରତିଦିନ ଅନେକ ଅଭିଯୋଗ ଆସିଥାଏ। ତେବେ ଏହାକୁ ଏବେ ଗୁରୁତର ସହ ନେଇଛି ସ୍ବାସ୍ଥ୍ୟ ବିଭାଗ। ଏସସିବି ମେଡିକାଲକୁ ଦଲାଲ ମୁକ୍ତ କରିବାକୁ ପ୍ରୟାସ ଆରମ୍ଭ ହୋଇଛି। ଏନେଇ ଗତକାଲି ନିର୍ଦ୍ଦେଶ ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ।
ତେବେ ଏ ସମ୍ପର୍କରେ ସୂଚନା ଦେଇ ଏସସିବି ମେଡିକାଲର ପ୍ରଶାସନିକ ଅଧିକାରୀ ଅବିନାଶ ରାଉତ କହିଛନ୍ତି ଯେ, ବିଭାଗୀୟ ନିର୍ଦ୍ଦେଶ ଆଧାରରେ ଏସସିବି ପକ୍ଷରୁ ଏକ ସ୍ବତନ୍ତ୍ର ଅନ୍ତରୀଣ ସ୍କ୍ବାର୍ଡ ଗଠନ ହୋଇଛି। ଯେଉଁ ସ୍କ୍ବାର୍ଡ ମେଡିକାଲ ସବୁ ବିଭାଗ ଉପରେ ନଜର ରଖିବ। ବିଶେଷକରି ମେଡିସନ ଓ କାଜୁଆଲଟି ବିଭାଗ ସମେତ ଅନ୍ୟାନ୍ୟ ବିଭାଗ ଯେଉଁଠାରେ ଅଧିକ ସଂଖ୍ୟକ ରୋଗୀ ଭର୍ତି ହୋଇଥାନ୍ତି ସେଗୁଡିକ ଉପରେ ତୀକ୍ଷ୍ଣ ନଜର ରଖିବ ଏହି ସ୍କ୍ୱାର୍ଡ।
ଯେଉଁଠି ବି ଦଲାଲ ନେଇ ରୋଗୀମାନଙ୍କର ଅଭିଯୋଗ ଆସିବ କିମ୍ବା ନଜରରେ ଆସିବ ସେଠାରେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ। ଏହାସହ ଏହି ଅଭିଯାନରେ ପୁଲିସର ମଧ୍ୟ ସହାୟତା ଲୋଡିବ ଏସସିବି।ତେବେ ରାଜ୍ୟର ମେଡିକାଲ ମଧ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଏସିବିରେ କଦାପି ଦଲାଲମାନଙ୍କୁ ପ୍ରୋତ୍ସାହନ ଦିଆଯିବନି। ଆଉ ଯଦି କୌଣସି ବ୍ୟକ୍ତି ଦଲାଲ କବଳ ରେ ପଡ଼ନ୍ତି ତେବେ ସଙ୍ଗେସଙ୍ଗେ ଅଧୀକ୍ଷକଙ୍କ ଅଫିସରେ ଅଭିଯୋଗ ଦାୟର କରିବାକୁ କହିଛନ୍ତି ଏସସିବି ପ୍ରଶାସନିକ ଅଧିକାରୀ ଅବିନାଶ ରାଉତ।
