ନୂଆଦିଲ୍ଲୀ : ଦିଲ୍ଲୀ ବିମାନ ବନ୍ଦରରେ ଶୁକ୍ରବାର ରାତିରେ ଏକ ବଡ଼ ଅଘଟଣ ଅଳ୍ପକେ ଟଳି ଯାଇଛି । ଇଣ୍ଡିଗୋର ଦିଲ୍ଲୀ-ବେଙ୍ଗାଲୁରୁ ଫ୍ଲାଇଟ୍ ଇଂଜିନରେ ଉଡ଼ାଣ ଆରମ୍ଭ ସମୟରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ଦିଲ୍ଲୀ ବିମାନ ବନ୍ଦରରୁ ବିମାନଟି ଉଡ଼ାଣ ଆରମ୍ଭ କରିବା ମାତ୍ରେ ଇଂଜିନରେ ନିଆଁ ଝୁଲ ଦେଖିବାକୁ ମିଳବାରୁ ଏହାକୁ ତୁରନ୍ତ ନିୟନ୍ତ୍ରଣ କରି ଅଟକାଇ ଦିଆଯାଇଥିଲା।

ବିମାନ ବନ୍ଦରରେ ପୂର୍ଣ୍ଣ ଜରୁରୀ ପରିସ୍ଥିତି ଘୋଷଣା ସହ ଯାତ୍ରୀମାନଙ୍କୁ ସୁରକ୍ଷିତ ବାହାର କରାଯାଇଥିଲା । ଏହି ଘଟଣାରେ କେହି ହତାହତ ହୋଇଥିବା ସୂଚନା ନାହିଁ।

ଇଣ୍ଡିଗୋ ବିମାନ ୬ଇ-୨୧୩୧ର ଇଂଜିନରେ ନିଆଁ ଲାଗିବା ଦେଖି ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଥିଲୋ । ପ୍ରିୟଙ୍କା କୁମାର ନାମ୍ନୀ ଜଣେ ମହିଳା ବିମାନରେ ନିଆଁ ଲାଗିଥିବା ଭିଡିଓ ସେୟାର କରିଛନ୍ତି ।

ଟ୍ବିଟର୍ ରେ ଭିଡିଓ ପୋଷ୍ଟ କରି ସେ ଲେଖିଛନ୍ତି ଯେ ଉଡ଼ାଣର ଭିଡିଓ ରେକର୍ଡିଂ କରିବାକୁ ସେ ଚାହୁଥିଲେ ଏବଂ ଇଂଜିନରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାର ବିସ୍ତୃତ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଡିଜିସିଏ ଇଣ୍ଡିଗୋକୁ ଏ ନେଇ କୈଫିୟତ ତଲବ କରିଛି। ଚଳିତ ବର୍ଷ ଜୁନ୍ ୧୯ ତାରିଖରେ ପାଟନାରୁ ଦିଲ୍ଲୀ ଯାଉଥିବା ସ୍ପାଇସ୍ ଜେଟ୍ ର ଏକ ବିମାନରେ ଉଡ଼ାଣ ଆରମ୍ଭର କିଛି ସମୟ ପରେ ନିଆଁ ଲାଗିଯାଇଥିଲା।

ଏହାପରେ ବିମାନକୁ ଜରୁରୀ ସ୍ଥିତିରେ ପାଟନା ବିମାନ ବନ୍ଦରରେ ଅବତରଣ କରାଯାଇଥିଲା। ଗତ କିଛି ମାସ ମଧ୍ୟରେ ଇଣ୍ଡିଗୋ ଏବଂ ସ୍ପାଇସ୍ ଜେଟ୍ ବିମାନରେ ଅନେକ ତ୍ରୁଟି ସାମ୍ନାକୁ ଆସିଥିବାରୁ ଏହା ଚିନ୍ତା ବଢ଼ାଇଛି।