ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୁରୁଣା ପେନସନ ବ୍ୟବସ୍ଥାକୁ ପୁନଃ ପ୍ରଚଳନ ଦାବିରେ ସମ୍ବଲପୁରରେ ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତା ଆଜି ବିରୋଧ ପ୍ରଦର୍ଶନ କରିଛନ୍ତି । ସଂଘର ସମ୍ବଲପୁର ଜିଲ୍ଲା ଶାଖା ପକ୍ଷରୁ ଶନିବାର ଅପରାହ୍ନରେ କମିଶନର କଲୋନି ପଡିଆରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପହଞ୍ଚିଛି। ଏଥିରେ ହଜାର ହଜାର ସଂଖ୍ୟାରେ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହୋଇ ନିଜର ଦାବି ଉଠାଇ ସରକାରଙ୍କୁ ସମାଲୋଚନା କରିଛନ୍ତି।

୨୦୦୧ ମସିହା ପରଠାରୁ ନିଯୁକ୍ତି ପାଇ ନିୟମିତ ହୋଇଥିବା ସମସ୍ତ ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ଚାକିରି ଯୋଗଦାନ ଦିନରୁ ନିୟମିତ ହାରରେ ଦରମା ଓ ଅନ୍ୟାନ୍ୟ ଭତ୍ତା ପ୍ରଦାନ, ନୂତନ ପେନସନ ନୀତି ବନ୍ଦ କରି ପୁରୁଣା ପେନସନ ନୀତି ଲାଗୁ କରିବା, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଆଦି ଦାବି ଉପସ୍ଥାପନ କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି। ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ସଂଘର ରାଜ୍ୟସ୍ତରୀୟ ନେତା ମଧ୍ୟ ସାମିଲ ହୋଇ ଏହି ଦାବିରେ ଆନ୍ଦୋଳନକୁ ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି।