ଶାମ୍‌ଲୀ: ଉତ୍ତର ପ୍ରଦେଶ ଅନ୍ତର୍ଗତ ଶାମ୍‌ଲୀ ଜିଲ୍ଲାବାସୀ ଅଜୀମ୍‌ ମନ୍‌ସୂରି ନାମରେ ଜଣେ ୨ ଫୁଟ୍‌ ୩ ଇଞ୍ଚ୍‌ ଉଚ୍ଚ ବ୍ୟକ୍ତି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ତେବେ ସେ ନିଜ ବାହାଘରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ଓ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିମନ୍ତ୍ରଣ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଆଗାମୀ ନଭେମ୍ବର ୭ରେ ଅଜୀମ୍‌ ବିବାହ କରିବେ।

ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’କୁ ଅଜୀମ୍‌ କହିଛନ୍ତି, ନଭେମ୍ବର ମାସରେ ମୁଁ ବାହାହେବି। ପ୍ରଧାନମନ୍ତ୍ରୀ ମ‌ୋଦୀ ଓ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ବାହାଘର ନିମନ୍ତ୍ରଣ କାର୍ଡ ଦେବି। ସେମାନଙ୍କୁ ନିମନ୍ତ୍ରଣ କରିବା ପାଇଁ ମୁଁ ଦିଲ୍ଲୀ ଯିବି।

କେତେ ବର୍ଷ ହେବ ଅଜୀମ୍‌ କନ୍ୟା ଖୋଜୁଥିଲେ। ବାମନ ହୋଇଥିବାରୁ ଯୋଡ଼ି ପାଇବା କଷ୍ଟସାଧ୍ୟ ହୋଇଥିଲା। ବାହାଘର ବିଷୟ ନେଇ ସେ ଅନେକ ଥର ରାଜନେତା ଓ ସରକାରୀ ଅଧିକାରୀମାନଙ୍କୁ ମଧ୍ୟ ସାକ୍ଷାତ୍‌ କରିଥିଲେ। ପାତ୍ରୀଟିଏ ଖୋଜି ଦେବା ପାଇଁ ସେ ଉତ୍ତର ପ୍ରଦେଶର ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ମଧ୍ୟ ଅନୁରୋଧ କରିଥିଲେ।

ବହୁ ବର୍ଷ ଉଦ୍ୟମ କରିବା ପରେ ୫ମ ଶ୍ରେଣୀରୁ ପାଠ ଛାଡ଼ିଥିବା ଅଜୀମ୍‌ ହାପୁର୍‌ରେ ଜଣେ ପାତ୍ରୀଙ୍କ ସନ୍ଧାନ ପାଇଛନ୍ତି। ପାତ୍ରୀଜଣଙ୍କୁ ସେ ମାର୍ଚ ୨୦୨୧ରେ ଭେଟିଥିଲେ। ଏପ୍ରିଲ୍‌ ୨୦୨୧ରେ ହାପୁର୍‌ର ପାତ୍ରୀ ବୁଶାରାଙ୍କ ସହିତ ଅଜୀମ୍‌ଙ୍କର ନିର୍ବନ୍ଧ ହୋଇଥିଲା। କିନ୍ତୁ, ବୁଶାରା ସ୍ନାତକ ହାସଲ କରି ସାରିଲେ ବିବାହ କରିବେ ବୋଲି ସ୍ଥିର କରିଥିବାରୁ ବିବାହରେ ବିଳମ୍ବ ହୋଇଛି।

ବାହାଘର ନିମନ୍ତେ ଅଜୀମ୍‌ ବିଶେଷଧରଣର ‌‘ଶେର୍‌ୱାନୀ’ ଏବଂ ‘ଥ୍ରି-ପିସ୍‌’ ସୁଟ୍‌ ସିଲାଇ କରାଇଛନ୍ତି।

କସ୍‌ମେଟିକ୍‌ ଦୋକାନ ଖୋଲିଥିବା ଅଜୀମ୍‌ ଯଥେଷ୍ଟ ଅର୍ଥ ରୋଜଗାର କରୁଛନ୍ତି। ତାଙ୍କ ପରିବାରରେ ସେ ସବାସାନ। ସବୁବେଳେ ଉପହାସର ପାତ୍ର ହେବାରୁ ସେ ୫ମ ଶ୍ରେଣୀରୁ ପାଠପଢ଼ା ଛାଡ଼ି କସ୍‌ମେଟିକ୍‌ ଦୋକାନ ଚଳାଇବା କାମରେ ଭାଇମାନଙ୍କୁ ସାହାଯ୍ୟ କରୁଥ‌ିଲେ