୧୦୦ଟି କୋଚ୍‌ ଲାଗିଥିବା ୧.୯ କିଲୋମିଟର୍‌ ଲମ୍ବ ବିଶିଷ୍ଟ ଟ୍ରେନ୍‌ ଚଳାଇ ବିଶ୍ଵ ରେକର୍ଡ କଲା ସ୍ବିଜର୍‌ଲାଣ୍ଡ୍‌

ଜିନିଭା:ବିଶ୍ବର ଦୀର୍ଘତମ ଯାତ୍ରୀବାହୀ ଟ୍ରେନ୍‌ ଚଳାଇଥିବା ସ୍ବିଜର୍‌ଲାଣ୍ଡ୍‌ର ଏକ କମ୍ପାନି ବିଶ୍ବ ରେକର୍ଡ କରିଛି। ଶନିବାର ଦିନ ଆଲ୍‌ପ୍‌ସ୍‌ ପର୍ବତମାଳା ମଧ୍ୟ ଦେଇ ପଡ଼ିଥିବା ଅନ୍ୟତମ ଚିତାକର୍ଷକ ରେଳପଥରେ ଏହି ବିଶ୍ଵ ରେକର୍ଡ ସୃଷ୍ଟି କରିଛି ।

ସଂଗୃହୀତ ସୂଚନା ଅନୁସାରେ, ପ୍ରେଡାରୁ ବର୍ଗୁନ୍‌କୁ ପଡ଼ିଥିବା ଆଲ୍‌ବୁଲା/ବର୍ଣ୍ଣିନା ରେଳପଥରେ ରିଆଟେନ୍‌ ରେଲ୍‌ୱେ କମ୍ପାନି ୧୦୦ଟି କୋଚ୍‌ ଲାଗିଥିବା ୧.୯ କିଲୋମିଟର୍‌ ଲମ୍ବବିଶିଷ୍ଟ ଟ୍ରେନ୍‌ ଚଳାଇଥିଲା।

ଖୋଦନ କରାଯାଇଥିବା ‘ଲ୍ୟାଣ୍ଡ୍‌ୱାସର୍‌ ବାଇଡକ୍ଟ୍‌’ ସମେତ ୨୨ଟି ସୁଡ଼ଙ୍ଗ (ସେଥିରୁ କେତୋଟି ସୁଡ଼ଙ୍ଗ ଚକ୍ରାକାରେ ପର୍ବତ ଉପରକୁ ଉଠିଛି) ଏବଂ ୪୮ଟି ସେତୁ ଥିବା ଏହି ରେଳପଥ ୨୦୦୮ରେ ‘ୟୁନେସ୍କୋ ବିଶ୍ବ ଐତିହ୍ୟ’ ମାନ୍ୟତା ପାଇଛି।

ଗତକାଲିର ଏହି ରେଳଯାତ୍ରା ପାଇଁ ୧ ଘଣ୍ଟାରୁ ସାମାନ୍ୟ ଅଧିକ ସମୟ ଲାଗିଥିଲା। ଉକ୍ତର ଟ୍ରେନ୍‌ର ୨୫ଟି ସେକ୍ସନ୍‌ ଆଲ୍‌ପ୍‌ସ୍‌ ପର୍ବତମାଳା ମଧ୍ୟ ଦେଇ ପ୍ରାୟ ୨୫ କିଲୋମିଟର୍‌ ଯାତ୍ରା କରିବାର ଦୃଶ୍ୟ ଉପଭୋଗ କରିବାକୁ ରେଳପ୍ରେମୀମାନେ ଉପତ୍ୟକା ପାଖେ ପାଖେ ହାଜର ହୋଇଥିଲେ।

ଏଥିରେ ୧୫୦ଜଣ ଯାତ୍ରୀ ଯାତ୍ରା କରିଥିବା ବେଳେ ଯାତ୍ରା ଦେଖିବାକୁ ୩୦୦୦ ଲୋକ ଆସିଥିଲେ।

ରିଆଟେନ୍‌ ରେଲ୍‌ୱେର ନିର୍ଦେଶକ ରିନାଟୋ ଫେସିଆତି କହିଛନ୍ତି, ସ୍ବିଜର୍‌ଲାଣ୍ଡ୍‌ର କେତେକ ଇଞ୍ଜିନିୟରିଙ୍ଗ୍‌ କୃତ୍ବିତ୍ବ ଦର୍ଶାଇବା ଏବଂ ‘ସ୍ବିସ୍ ରେଲ୍‌ୱେଜ୍‌’ର ୧୭୫ତମ ବାର୍ଷିକୀ ପାଳନ ଉଦ୍ଦେଶ୍ୟରେ ଏଭଳି ରେକର୍ଡ ଉଦ୍ୟମ କରାଯାଇଛି।

ଏହି ବିଶ୍ବ ରେକର୍ଡକୁ ‘ଗିନିଜ୍‌ ୱାର୍ଲଡ୍‌ ରେକର୍ଡସ୍‌’ ତା’ର ୱେବ୍‌ସାଇଟ୍‌ରେ ଔପଚାରିକ ଭାବେ ସ୍ବୀକୃତି ଦେଇଛି ବୋଲି ସେ କହିଛନ୍ତି।

ଟ୍ରେନ୍‌ଟି ପର୍ବତ ଶ୍ରେଣୀ ଦେଇ ଧୀରେ ଧୀରେ ସାପ ପରି ଗତି କରୁଥିବା ବେଳେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସେ କହିଛନ୍ତି, ମୋ ମତରେ, ଏହା ହେଉଛି ସ୍ବିସ୍‌ ଇଞ୍ଜିନିୟରିଙ୍ଗ୍‌ର ନିଖୁଣତା।

Related Posts