ରାଇରଙ୍ଗପୁର: ଖୋଲିବ ଶିମିଳିପାଳ ଅଭୟାରଣ୍ୟ । ନଭେମ୍ବର ୧ରୁ ଖୋଲିବ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଶିମିଳିପାଳ ଅଭୟାରଣ୍ୟ । ରାଜ୍ୟରେ ଶୀତ ଆରମ୍ଭ ହୋଇଯାଇଥିବା ବେଳେ, ପର୍ଯ୍ୟଟକ ଙ୍କ ପାଇଁ ଖୁସି ଖବର ଆସିଛି। ସକାଳ ୬ଟାରୁ ଅପରାହ୍ନ ୪ଟା ଯାଏଁ ପର୍ଯ୍ୟଟକମାନେ ଶିମିଳିପାଳ ଅଭୟାରଣ୍ୟର ମନୋରମ ଦୃଶ୍ୟକୁ ଉପଭୋଗ କରିପାରିବେ ।
ନଭେମ୍ବର ପହିଲାରୁ ଅଭୟାରଣ୍ୟ ଖୋଲିବା ନେଇ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିବାକୁ ହେଲେ ମୟୂରଭଞ୍ଜ ଜିଲ୍ଲାର ଯଶିପୁର ସ୍ଥିତ କାଳିଆଣି ଓ ବାରିପଦା ସ୍ଥିତ ପିଠାବଟା ଦେଇ ଯିବାକୁ ପଡିବ ।
ଏହା ଭିତରେ ଗୁଡିଗୁଡିଆ, କୁମାରୀ, ଜାମୁଆଣି ଓ ବରେଇପାଣିରେ ରାତ୍ରିଯାପନ କରିବାର ବ୍ୟବସ୍ଥା କରାଯାଇଛି । ପର୍ଯ୍ୟଟକଙ୍କୁ ଦୃଷ୍ଟିରେ ବରେଇପାଣି ଠାରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ଶିମିଳିପାଳ ଭିତରେ ପଲିଥିନ୍ ବ୍ୟାନ୍ କରାଯାଇଛି । ଶାଳପତ୍ର ଖଲି ଓ ଚଉପତି ନେବାକୁ ପରାମର୍ଶ ଦେଇଛନ୍ତି ଶିମିଳିପାଳ କର୍ତ୍ତୃପକ୍ଷ । ଏଠାରେ ସୂଚନାଯୋଗ୍ୟ ଯେ, ଶିମିଳିପାଳ ଜୈବମଣ୍ଡଳର ଆୟତନ ହେଉଛି ୨୭୫୦ ବର୍ଗ କି.ମି । ତନ୍ମଧ୍ୟରୁ ୩୦୩ ବର୍ଗ କି.ମି ହେଉଛି ଆଭ୍ୟନ୍ତରୀଣ ଅଞ୍ଚଳ ଯାହାକି ଭାରତର ଏକ ପ୍ରସିଦ୍ଧ ଅଭୟାରଣ୍ୟ, ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଓ ଜାତୀୟ ଉଦ୍ୟାନ ଅଟେ ।ସବୁଜ ବନାନୀ, ନଭଶ୍ଚୁମ୍ବୀ ପର୍ବତ, ଭାସ୍ୟମାନ ମେଘମାଳା ଓ କଳ କଳ ନାଦ କରି ବୋହି ଯାଉଥିବା ଝରଣା ଏଠାରେ ଏକ ମନୋରମ ପରିବେଶ ସୃଷ୍ଟି କରିଥାଏ । ଏଠାରେ ବିଭିନ୍ନ ପ୍ରଜାତିର ପ୍ରାଣୀ ଓ ଉଦ୍ଭିଦ ଦେଖିବାକୁ ମିଳେ । ଏଥିମଧ୍ୟରେ ୧୦୭୬ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୨୩୧ ପ୍ରଜାତିର ପକ୍ଷୀ, ୨୯ ପ୍ରଜାତିର ସରୀସୃପ ଅଟନ୍ତି । ସମୁଦ୍ର ପତ୍ତନ ଠାରୁ ଶିମିଳିପାଳର ହାରାହାରି ଉଚ୍ଚତା ହେଉଛି ୯୦୦ ମି. । ଏଠାରେ ବିଭିନ୍ନ ପ୍ରକାରର ବୃକ୍ଷ ଦେଖାଯାଏ, ଯଥା ଶାଳ, ପିଆଶାଳ, ଶାଗୁଆନ, ଶିଶୁ, ଶିମିଳି, ମହୁଲ, ଆମ୍ବ, ପଣସ ଇତ୍ୟାଦି ।
ଶିମିଳିପାଳ ପରିଦର୍ଶନ ପୂର୍ବରୁ ପର୍ଯ୍ୟଟକଙ୍କ ଯାନ, ପର୍ଯ୍ୟଟକ ଏବଂ ତାଙ୍କ ସମସ୍ତ ଜିନିଷପତ୍ର ପ୍ରବେଶ ଓ ପ୍ରସ୍ଥାନ ଫାଟକରେ ଯାଞ୍ଚ କରାଯିବ । ଅପରାହ୍ନ ୩ଟା ପୂର୍ବରୁ ସମସ୍ତ ପର୍ଯ୍ୟଟକ ଯୋରନ୍ଦା ଓ ବରେହିପାଣି ଜଳପ୍ରପାତ ଓ ଅପରାହ୍ନ ୪ଟା ପୂର୍ବରୁ ଚହଲା ସ୍ଥାନରୁ ଛାଡିବେ । କୌଣସି କାରଣରୁ ଯାନବାହାନ ଖରାପ ହେଲେ ସେହି ଯାନବାହାନରେ ଥିବା ପର୍ଯ୍ୟଟକମାନଙ୍କୁ ବାରିପଦା କିମ୍ବା ଯଶିପୁର ବସଷ୍ଟାଣ୍ଡ ପହଞ୍ଚାଇବାକୁ ବିଭାଗ ପକ୍ଷରୁ ବନ୍ଦୋବସ୍ତ କରାଯାଇଛି ।
