ଜି-୨୦ରେ ବୈଶ୍ବିକ ନୀତିର ବିସ୍ତାର ଏବଂ ପ୍ରଭାବ ଉପରେ ଚର୍ଚ୍ଚା କରିବା ଭାରତର ପ୍ରାଥମିକତା: ନିର୍ମଳା ସୀତାରମଣ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜି-୨୦ ପ୍ରେସିଡେନ୍ସୀରେ ଭାରତର ଆଭିମୁଖ୍ୟ କ’ଣ ରହିବ ସେନେଇ ପ୍ରତିକ୍ରିୟା ରଖିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ମଙ୍ଗଳବାର ଭାରତୀୟ ଅନୁସନ୍ଧାନ ପରିଷଦରେ, ୧୪ ତମ ବାର୍ଷିକ ଅନ୍ତରାଷ୍ଟ୍ରୀୟ ଜି-୨୦ ସମ୍ମିଳନୀରେ ଯୋଗଦେବା ସହ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୈଶ୍ବିକ ସ୍ତରରେ ଭାରତର ପ୍ରାଥମିକତାକୁ ନେଇ ମନ୍ତବ୍ୟ ରଖିଛନ୍ତି।

ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଜି-୨୦ ରେ ଭାରତର ପ୍ରାଥମିକତା ମଧ୍ୟରେ ବୈଶ୍ବିକ ନୀତିର ବିସ୍ତାର ଏବଂ ପ୍ରଭାବ ଉପରେ ଚର୍ଚ୍ଚା ସାମିଲ ରହିବ। ସୀତାରମଣ କହିଛନ୍ତି ଯେ ଜି-୨୦ ପ୍ରେସିଡେନ୍ସୀ ପାଇଁ ଭାରତ ଡିଜିଟାଲ ବିପ୍ଳବର ଉପସ୍ଥାପନ କରିବ। ସେ ଆହୁରି କହିଛନ୍ତି ଜି-୨୦ ର ଅନେକ ସଦସ୍ୟ ଡିଜିଟାଲ ବିପ୍ଲବ ବିଷୟରେ ଅଧିକ ଜାଣିବାର ଇଚ୍ଛା ପ୍ରକାଶ କରିଛନ୍ତି ଏବଂ ଆମ ସହ ଯୋଗଯୋଗ କରିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଜି-୨୦ ପ୍ରେସିଡେନ୍ସୀ ସମୟରେ ଭାରତ ଆର୍ଥିକ ତଥା ଆନୁଷ୍ଠାନିକ ତର୍କର ବିଷୟ ରହିବ। ସେହିପରି ଭର୍ଚୁଆଲ ଆସେଟସ୍ ପ୍ରସଙ୍ଗରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ କୌଣସି ଦେଶ ନିଜ ଦମରେ କ୍ରିପ୍ଟୋ ଆସେଟସ୍‌କୁ ନିୟନ୍ତ୍ରିତ କରିବାରେ ସଫଳ ହୋଇପାରିବନାହିଁ। ଏଥିପାଇଁ ଆମେ ଏବଂ ଜି-୨୦ ର ଅନ୍ୟ ସଦସ୍ୟଙ୍କୁ ଏକାଠି ହେବାର ଅଛି।

ସୂଚନାଯୋଗ୍ୟ ଯେ, ଜି-୨୦ ଦୁନିଆର ବିକଶିତ ଏବଂ ବିକାଶଶୀଳ ଦେଶମାନଙ୍କର ସଂଗଠନ। ଏହାର ସଦସ୍ୟଙ୍କ ମଧ୍ୟରେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଚୀନ୍, ଫ୍ରାନ୍ସ, ଜର୍ମାନୀ, ଭାରତ, ଇଣ୍ଡୋନେସିଆ, ଇଟାଲୀ, ଜାପାନ, ରିପବ୍ଲିକ୍ ଅଫ୍ କୋରିଆ, ମେକ୍ସିକୋ, ଋଷ, ସାଉଦୀ ଆରବ, ଦକ୍ଷିଣ ଆଫ୍ରିକା, ତୁର୍କୀ, ୟୁକେ, ଆମେରିକା ଏବଂ ୟୁରୋପୀୟ ୟୁନିଅନ ସାମିଲ ରହିଛି। ୧୯ ଦେଶ ଏବଂ ୟୁରୋପୀୟ ସଂଗଠନକୁ ମିଶାଇ ସମୁଦାୟ ୨୦ ସଦସ୍ୟ ଅଛନ୍ତି। ଜି-୨୦ ଦୁନିଆର ୮୫ ପ୍ରତିଶତ ଜିଡିପି ଏବଂ ୭୫ ପ୍ରତିଶତ ଅନ୍ତରାଷ୍ଟ୍ରୀୟ ବ୍ୟବସାୟ ଏବଂ ଦୁଇ-ତୃତୀୟାଂଶ ଜନସଂଖ୍ୟାର ପ୍ରତିନିଧିତ୍ବ କରିଥାଏ।

Related Posts