ଏକତରଫା ପ୍ରେମର କରୁଣ ପରିଣତି; ବିଚ୍‌ ରାସ୍ତାରେ ଇଂଜିନିୟରିଂ ଛାତ୍ରୀଙ୍କୁ ଛୁରାମାଡ଼ କଲେ ଯୁବକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଏକତରଫା ପ୍ରେମର କରୁଣ ପରିଣତି। ବିଚ୍‌ ରାସ୍ତାରେ ଇଂଜିନିୟରିଂ ଛାତ୍ରୀଙ୍କୁ ଛୁରାମାଡ଼। ପ୍ରେମ ନିବେଦନ କରି ନିରାଶ ହେବା ପରେ ଇଂଜିନିୟରିଂ ଛାତ୍ରୀ ଜଣଙ୍କୁ ଏକ ଯୁବକ ଛୁରା ମାଡ଼ କରିଛି। ଏପରି ଅଭିଯୋଗ ଆସିଛି କଟକ ସଦର ଥାନା ପ୍ରତାପନଗରୀ ଅଞ୍ଚଳରୁ। ଛୁରା ମାଡ଼ରେ ଛାତ୍ରୀଙ୍କ ହାତ ଓ ଜଂଘରେ ଗଭୀର ଆଘାତ ହୋଇଛି। ଅନ୍ୟପକ୍ଷରେ ଛୁରା ମାଡ଼ କରିଥିବା ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି।

ମିଳିଥିବା ସୂଚନା ଅନୁସାରେ, ପ୍ରତାପନଗର ଗାଁର ଛାତ୍ରୀ ଜଣକ ଫୁଲ୍‌ନଖରା ଅଞ୍ଚଳରେ ଥିବା ଏକ ଇଞ୍ଜିନିୟରିଂ କଲେଜରେ ପାଠ ପଢ଼ନ୍ତି। ସବୁଦିନ ପରି ଆଜି ମଧ୍ୟ ସେ କଲେଜ ଯାଇଥିଲେ। ଅପରାହ୍ନ ପ୍ରାୟ ୩ଟା ବେଳେ ସେ କଲେଜ ବସ୍‌ରେ ଆସି ନିଜ ଗାଁ ନିକଟସ୍ଥ ଜାତୀୟ ରାଜପଥରେ ଓହ୍ଲାଇଥିଲେ। ସେଠାରୁ ସେ ଚାଲି ଚାଲି ଘରକୁ ଯାଉଥିଲେ। ଠିକ୍‌ ଏହି ସମୟରେ ବିଚ୍‌ ରାସ୍ତାରେ ଜଣେ ଯୁବକ ତାଙ୍କୁ ପ୍ରେମ ନିବେଦନ କରିଥିଲେ। ମାତ୍ର ଏଥିରେ ସେ ରାଜି ହୋଇନଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଯୁବକ ଜଣକ ସାଙ୍ଗରେ ଆଣିଥିବା ଏକ ଛୁରୀରେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଆକ୍ରମଣ କରିଥିଲେ। ଫଳରେ ଛାତ୍ରୀଙ୍କ ହାତ ଓ ଜଙ୍ଘରେ ଗଭୀର ଆଘାତ ଲାଗିଥିଲା।

ଗାଁ ଲୋକେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମଇଦରପଡ଼ା ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଏସ୍‌ସିବିକୁ ସ୍ଥାନାନ୍ତରିତ କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି। ଅନ୍ୟପକ୍ଷରେ ଛୁରା ମାଡ଼ କରିବା ପରେ ଯୁବକ ଜଣକ ଘଟଣା ସ୍ଥଳରୁ ଚମ୍ପଟ ମାରିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Related Posts