ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭିଜିଲାନ୍ସ ରିମାଣ୍ଡରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ(ଆର୍‌ଡବ୍ଲୁଏସ୍‌ଏସ୍‌) ଭୁବନେଶ୍ୱର ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାସ । ତାଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିଛି ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ୍‌ । ରିମାଣ୍ଡ ଅନୁମତି ଦେଇଛନ୍ତି ଭିଜିଲାନ୍ସ କୋର୍ଟ । କ୍ରିପଟୋ କରେନ୍ସୀରେ ଲାଗିଥିବା କୋଟି କୋଟି ଟଙ୍କାର ଖୋଳତାଡ କରୁଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଧରା ପଡ଼ିବା ପରେ ଗିରଫ ହୋଇଥିଲେ ନିହାର ରଞ୍ଜନ ଦାସ ।

ତେବେ ତାଙ୍କର ଜାମିନ ଆବେଦନ ଖାରଜ ହେବାପରେ ଆସନ୍ତା ୧୦ ତାରିଖ ଯାଏ ତାଙ୍କୁ ଝାଡପଡା ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ନିହାର ରଞ୍ଜନ ଦାସ କୋଟିଏରୁ ଅଧିକ ଟଙ୍କା କ୍ରିପ୍‌ଟୋ କରେନ୍‌ସିରେ ନିବେଶ କରିଛନ୍ତି । ୩୮ଟି ଓ୍ଵାଲେଟରୁ ଏହି ଟଙ୍କା ମିଳିଛି । ଅଧିକ ଖୋଳତାଡ ପାଇଁ କ୍ରିପଟୋ ଏକ୍ସପର୍ଟଙ୍କ ସହାୟତା ନିଆଯାଉଛି । କ୍ରିପ୍‌ଟୋ କରେନ୍‌ସି ସହ ଭିଜିଲାନ୍‌ସ ତାଙ୍କର ୩ କୋଟି ୯୬ ଲକ୍ଷ ଟଙ୍କାର ଆୟ ବର୍ହିଭୂତ ସଂପତ୍ତି ଠାବ ହୋଇଛି । ଯାହା ତାଙ୍କ ଆୟ ଠାରୁ ୨୭୫ ପ୍ରତିଶତ ଅଧିକ । କେବଳ ସମ୍ବଲପୁରରେ ତାଙ୍କର ରହିଛି ୮ଟି ପ୍ଲଟ । କେବଳ କ୍ରିପ୍‌ଟୋ ଇନଭେଷ୍ଟମେଣ୍ଟ ନୁହେଁ, ଅନ୍ୟ ଲିକ୍ୟୁଡିଟି ବିନିଯୋଗ ପ୍ଲାଟଫର୍ମରେ ମଧ୍ୟ ଟଙ୍କା ଲଗାଇଛନ୍ତି ନିହାର । ତାଙ୍କୁ ରିମାଣ୍ଡରେ ଆଣି ଭିଜିଲାନ୍ସ ଏସବୁ ଦିଗରେ ପଚରାଉଚରା କରିବ ବୋଲି ସୂଚନା ମିଳିଛି।

ଏଠାରେ ସୂଚନାଯୋଗ୍ୟ ଯେ, ଗତ ମାସ ୨୮ ତାରିଖରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନିହାର ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିଲେ।