ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ୮ଟି ସଂକଳ୍ପ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୁଜରାଟ ନିର୍ବାଚନ ପାଇଁ ଆଜି ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି । ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ଡିସେମ୍ବର ୧ ଓ ୫ ତାରିଖରେ ନିର୍ବାଚନ ହେବ । ଏହାସହ ଡିସେମ୍ବର ୮ ତାରିଖରେ ଫଳାଫଳ ଘୋଷଣା କରାଯିବ । ତାରିଖ ଘୋଷଣା ହେବାପରେ ଗୁଜରାଟ ପାଇଁ କଂଗ୍ରେସ ଦଳ ସଂକଳ୍ପପତ୍ର ଘୋଷଣା କରିଛି । ନୂଆକରି ଦଳର ଅଧ୍ୟକ୍ଷ ଦାୟିତ୍ଵ ନେଇଥିବା ମଲ୍ଲିକାର୍ଜୁନ ଖଡଗେ ତାରିଖ ଘୋଷଣା ହେବାପରେ ଏନେଇ ନିଜର ମତ ରଖିଛନ୍ତି ।

ଖଡଗେ ଟ୍ୱିଟ କରି କହିଛନ୍ତି ଯେ, ଗୁଜରାଟର ୮ କୋଟି ଲୋକ ପରିବର୍ତନ ପାଇଁ କେବଳ କଂଗ୍ରେସକୁ ବିକଳ୍ପ ଭାବେ ଚୟନ କରିଛନ୍ତି । ଏହାସହ ଦଳ ପକ୍ଷରୁ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ୮ଟି ସଂକଳ୍ପ ଘୋଷଣା କରାଯାଇଛି ତାହାର ସୂଚାନ ସେ ଦେଇଛନ୍ତି ।

ପ୍ରତିଶ୍ରୁତି ମୁତାବକ କଂଗ୍ରେସ ଗୁଜରାଟରେ କ୍ଷମତାକୁ ଫେରିଲେ ଲୋକମାନଙ୍କୁ ୫ ଶହ ଟଙ୍କାରେ ଏଲପିଜି ସିଲିଣ୍ଡର ଗ୍ୟାସ ଯୋଗାଇ ଦେବ । ଏହାସହ ଦିଲ୍ଲୀ ଓ ପଞ୍ଜାବରେ ଆପ୍ ସରକାର ଭଳି ଗୁଜରାଟରେ ମଧ୍ୟ ଦଳ ୩୦୦ ୟୁନିଟ୍ ବିଜୁଳି ମାଗଣା ଦେବାକୁ ପ୍ରତିଶ୍ରୁତି ଦେଇଛି । ଅନ୍ୟପଟେ ସ୍ୱାସ୍ଥ୍ୟସେବାକୁ ମଧ୍ୟ ଘୋଷଣାପତ୍ରରେ ଗୁରୁତ୍ୱ ଦିଆଯାଇଛି । ଦଳ କ୍ଷମତାକୁ ଆସିଲେ ପ୍ରତି ନାଗରିକଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ସଂକଳ୍ପପତ୍ରରେ ଉଲ୍ଲେଖ କରିଛି ।

ସେହିପରି କଂଗ୍ରେସ ସଂକଳ୍ପପତ୍ରରେ ଚାଷୀଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ କରିବାକୁ ପ୍ରତିଶ୍ରୁତି ଦେଇଛି । ଏହାସହ ରାଜ୍ୟରେ ଥିବା ଠିକା ନିଯୁକ୍ତିକୁ ସମାପ୍ତ କରିବ ବୋଲି କଂଗ୍ରେସ କହିଛି। ସେପଟେ ବେରୋଜଗାରୀ ଦେଶର ଏକ ମୁଖ୍ୟ ପ୍ରସଙ୍ଗ ହୋଇଥିବା ବେଳେ କଂଗ୍ରେସ କହିଛି ଯେ, ଗୁଜରାଟରେ ଦଳ ସରକାରକୁ ଆସିଲେ ପ୍ରତି ବେରୋଜଗାରୀ ଯୁବକ ଯୁବତୀମାନଙ୍କୁ ମାସିକ ୩୦୦ ଟଙ୍କା ବେରୋଜଗାରୀ ଭତ୍ତା ପ୍ରଦାନ କରିବ ।

ସେପଟେ ଆଜିର ସମୟରେ ଅବିଭାବକମାନେ ସେମାନଙ୍କ ପାଇଁ ଇଂରାଜୀ ମିଡିୟମ ସ୍କୁଲ ପସନ୍ଦ କରୁଥିବାରୁ ଏହାକୁ ମଧ୍ୟ ଫୋକସ କରିଛି ଦଳ । ଦଳ କହିଛି ଯେ ରାଜ୍ୟରେ ୩ ହଜାର ସରକାରୀ ଇଂରାଜୀ ମିଡିୟମ ସ୍କୁଲ ଖୋଲାଯିବ । ଗୋପାଳକମାନଙ୍କୁ ଆକୃଷ୍ଟ କରିବାକୁ ଦଳ ସଂକଳ୍ପ ପତ୍ରରେ ପ୍ରତି କୋ- ଅପରେଟିଭ ସୋସାଇଟରେ ଦୁଗ୍ଧଚାଷୀମାନଙ୍କୁ ଲିଟର ପ୍ରତି ୫ ଟଙ୍କା ସବସିଡ୍ ଦେବାକୁ କହିଛି । ସବୁଠାରୁ ବଡକଥା ହେଉଛି ଯେ, କଂଗ୍ରେସ କହିଛି କି ଦଳ ଯଦି କ୍ଷମତାକୁ ଫେରେ ତେବେ କରୋନା ସଂକ୍ରମଣରେ ରାଜ୍ୟରେ ମୃତ୍ୟୁବରଣ କରିଥିବା ୩ ଲକ୍ଷ ଲୋକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯିବ ।

Related Posts