ନୂଆଦିଲ୍ଲୀ: ଗୁଜରାଟ ନିର୍ବାଚନ ତାରିଖ ଘୋଷଣା ନେଇ ନିର୍ବାଚନ କମିଶନ(ଇସି)ଙ୍କ ବିରୋଧରେ ପକ୍ଷପାତ ଅଭିଯୋଗ ଆଣିଥିଲେ ବିରୋଧି । ତେବେ ଆଜି ବିରୋଧୀଙ୍କ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି କମିଶନ। ସେ କହିଛନ୍ତି ଯେ ଇସିଙ୍କୁ ଅନେକ ମାମଲାରେ ସନ୍ତୁଳନ ରକ୍ଷା କରିବାରେ ଥିଲା। ଯଥା- ପାଣିପାଗ, ବିଧାନସଭାର ଶେଷ ତାରିଖ ଏବଂ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ କରିବାର ଦିନ ଆଦି।

ସିଇସି ରାଜୀବ କୁମାର କହିଛନ୍ତି “ ତା ସହିତ ରାଜ୍ୟରେ ଏକ ଦୁଃଖଦ ଘଟଣା ବି ଘଟିଯାଇଛି। ଏହାକୁ ବି ନଜରରେ ରଖାଯାଇଛି। ବିଳମ୍ବ ହେବାର ଏହା ବି ଏକ କାରଣ। ବୁଧବାର ପର୍ଯ୍ୟନ୍ତ ରାଜ୍ୟରେ ଶୋକର ଦିନ ଥିଲା।” ଆଦି ବିଭିନ୍ନ କାରଣରୁ ଗୁଜରାଟ ନିର୍ବାଚନ ତାରିଖ ବିଳମ୍ବରେ ଘୋଷଣା ହୋଇଛି ବୋଲି ରାଜୀବ କୁମାର କହିଛନ୍ତି।

ତେବେ ରାଜୀବ କୁମାରଙ୍କର ସ୍ପଷ୍ଟୀକରଣରେ କଂଗ୍ରେସ କିନ୍ତୁ ସନ୍ତୁଷ୍ଟ ହୋଇପାରିନି। କଂଗ୍ରେସର କହିବା କଥା ହେଲା ଯଦି ହିମାଚଳ ପ୍ରଦେଶ ଓ ଗୁଜରାଟର ଭୋଟ ଗଣତି ସମାନ ଦିନ ହେବ ତେବେ ନିର୍ବାଚନ କାହିଁକି ସମାନ ଦିନରେ ହେଲା ନାହିଁ ବୋଲି ଦଳ ପ୍ରଶ୍ନ କରିଛି। ଗୁଜରାଟ କଂଗ୍ରେସ ପ୍ରଭାରୀ ରଘୁ ଶର୍ମା କହିଛନ୍ତି ଯେ ବିଜେପି ସରକାରୀ ଟଙ୍କା ଖର୍ଚ୍ଚ କରି ରାଲି କରିବାକୁ ଅନେକ ସମୟ ପାଇଲା। ତା ସହିତ ଲୋକସମ୍ବଳର ଭୁଲ ବ୍ୟବହାର କଲା ବୋଲି ସେ ଅଭିଯୋଗ କରିଛନ୍ତି।

ପରୋକ୍ଷରେ ଇସିଙ୍କୁ କଟାକ୍ଷ କରି ରଘୁ ଶର୍ମା କହିଛନ୍ତି “ ବିଜେପିର ଚାପ ସତ୍ତ୍ୱେ ଗୁଜରାଟ ନିର୍ବାଚନ ତାରିଖ ଘୋଷଣା କରିଥିବାରୁ ଇସିଙ୍କୁ ଧନ୍ୟବାଦ ଦେବାକୁ ଚାହିଁବି। ଏକ ସାମ୍ବିଧାନିକ ସଂସ୍ଥା ଭାବରେ ଇସିକୁ ଏହା ସ୍ପଷ୍ଟ କରିବା ଦରକାର ଯେ ଯଦି ଦୁଇଟି ରାଜ୍ୟରେ ସମାନ ତାରିଖରେ ଭୋଟ ଗଣତି ହେବେ ତେବେ ନିର୍ବାଚନ କାହିଁକି ଅଲଗା ଅଲଗା ଦିନରେ ହେବ।? ”