ୟଶବନ୍ତପୁର : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ମ୍ୟୁଜିକ ଚୋରି ଅଭିଯୋଗ । ଭାରତ ଯୋଡୋ ଯାତ୍ରା ଲାଗି ପ୍ରସ୍ତୁତ କରାଯାଇଥିବା ମ୍ୟୁଜିକକୁ କଥିତ ଭାବେ ଫିଲ୍ମ କେଜିଏଫ-୨ର ମ୍ୟୁଜିକ ବୋଲି କୁହାଯାଉଛି। ଏଥିଲାଗି ଏମଆରଟି ମ୍ୟୁଜିକ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସମେତ ୩ ଜଣଙ୍କ ବିରୋଧରେ ମ୍ୟୁଜିକ ଚୋରି ଅଭିଯୋଗରେ ଏତଲା ରୁଜୁ କରିଛି।
ଅଭିଯୋଗରେ ଯାତ୍ରାର ୨ଟି ଭିଡିଓରେ କେଜିଏଫ-୨ର ଲୋକପ୍ରୀୟ ଗୀତ ବ୍ୟବହାର ବିନା ଅନୁମତିରେ କରାଯାଇଥିବା କୁହାଯାଇଛି। ଏହି ଭିଡିଓକୁ ବରିଷ୍ଠ କଂଗ୍ରେସ କାର୍ଯ୍ୟକର୍ତ୍ତା ଜୟରାମ ରମେଶ ମଧ୍ୟ ତାଙ୍କ ଟ୍ୱିଟରରେ ଅପଲୋଡ କରିଛନ୍ତି। ଏମଆରଟି ମ୍ୟୁଜିକର କେ.ଏମ.ନବୀନ କୁମାର ରାହୁଲ ଗାନ୍ଧିଙ୍କ ସମେତ ୩ ଜଣଙ୍କ ବିରୋଧରେ ଏତଲା ରୁଜୁ କରିଛନ୍ତି। ଏହି ଏତଲା ଯଶୋବନ୍ତପୁର ଥାନାରେ ରୁଜୁ ହୋଇଥିବା ବେଳେ ପୋଲିସ ରାହୁଲ ଗାନ୍ଧି, ଜୟରାମ ରମେଶ ଓ ସୁପ୍ରିୟାଙ୍କ ବିରୋଧରେ କପି ରାଇଟ୍ ଆକ୍ଟ ,ଆଇଟି ଆକ୍ଟ ସମେତ ଅନେକ ଧାରାରେ ମୋକଦ୍ଦମା ରୁଜୁ କରିଛି।
ପୋଲିସରେ କାରଯାଇଥିବା ଅଭିଯୋଗ ଅନୁସାରେ କଂଗ୍ରେସ ମୁଖପାତ୍ର ଜୟରାମ ରମେଶ ତାଙ୍କ ଅଧିକାରୀକ ଟ୍ୱିଟରରେ ଭାରତ ଯୋଡୋ ଯାତ୍ରାର ୨ଟି ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓମାନଙ୍କରେ ଫିଲ୍ମ କେଜିଏଫ-୨ର ଦୁଇଟି ଲୋକପ୍ରୀୟ ଗୀତ ବ୍ୟବହୃତ ହୋଇଛି। ଏହି ଗୀତ ଗୁଡିକର ବ୍ୟବହାର କରିବା ଲାଗି କୌଣସି ଅନୁମତି ନିଆଯାଇ ନାହିଁ। ଅଭିଯୋଗକାରୀଙ୍କ ଅନୁସାରେ ଏହି ଗିତଗୁଡିକର ମାଲିକାନା ଏବେବି କେଜିଏଫ-୨ ନିର୍ମାଣ କରିଥିବା କମ୍ପାନୀ ନିକଟରେ ରହିଛି। ଏହି ମ୍ୟୁଜିକ ଗୁଡିକର ବ୍ୟବହାର ଅନୁଚିତ ଉପାୟରେ ଲାଭ ପାଇଁ କରାଯାଉଥିବାର ଅଭିଯୋଗ ହୋଇଛି।
କେଜିଏଫ-୨ ଫିଲ୍ମ ବିଶ୍ୱସ୍ତରରେ ବେଶ୍ ଲୋକପ୍ରୀୟ ହୋଇଥିଲା। ଯାହାକୁ କଂଗ୍ରେସ ତାର ଭାରତ ଯୋଡୋ ଯାତ୍ରା ଲାଗି ଭୁଲ ବ୍ୟବହାର କରୁଛି ବୋଲି କେ.ଏ.ନବୀନ କୁମାର କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ଗତ ସେପ୍ଟେମ୍ବର ୭ ତାରିଖରେ ଆରମ୍ଭ ହୋଇଥିଲା। ଏହି ଯାତ୍ରାର ନେତୃତ୍ୱ ରାହୁଲ ଗାନ୍ଧି ନେଇଛନ୍ତି। ତାମିଲନାଡୁର କନ୍ୟା କୁମାରୀରୁ ଆରମ୍ଭ ହୋଇଥିବା ଯାତ୍ରା ବିଭିନ୍ନ ରାଜ୍ୟ ଦେଇ ୩୦ ଜାନୁୟାରୀ ୨୦୨୩ରେ ଜମ୍ମୁକାଶ୍ମୀରରେ ପହଞ୍ଚିବ। ଏହି ଯାତ୍ରାରେ ବର୍ତ୍ତମାନ ପର୍ଯ୍ୟନ୍ତ ତାମିଲନାଡୁ,କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାକୁ ପହଞ୍ଚିଛି।
