ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସୁପ୍ରିମକୋର୍ଟର ୫୦ ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ଧନଞ୍ଜୟ ଓ୍ବାଇ.ଚନ୍ଦ୍ରଚୂଡ଼ (ଡି.ଓ୍ବାଇ.ଚନ୍ଦ୍ରଚୂଡ଼) । ବୁଧବାର ପ୍ରଧାନ ବିଚାରପତି ପଦରେ ଶପଥ ନେଇଛନ୍ତି ଜଷ୍ଟିସ୍ ଚନ୍ଦ୍ରଚୂଡ଼। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂ ରାଷ୍ଟ୍ରପତି ଭବନରେ ପ୍ରଧାନ ବିଚାରପତିଙ୍କୁ ଶପଥ ଗ୍ରହଣ କରାଇଛନ୍ତି।
ବିଚାରପତି ଚନ୍ଦ୍ରଚୂଡ଼ ୧୦ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ଏହି ପଦରେ ରହିବେ। ରାଷ୍ଟ୍ରପତି ଗତ ଅକ୍ଟୋବର ୧୭ ରେ ଚନ୍ଦ୍ରଚୂଡ଼ଙ୍କ ନାମକୁ ପ୍ରଧାନ ବିଚାରପତି ଭାବରେ ଅନୁମୋଦନ କରିଥିଲେ।
ଧନଞ୍ଜୟ ଓ୍ବାଇ.ଚନ୍ଦ୍ରଚୂଡ଼ ବିଚାରପତି ଉଦୟ ଉମେଶ ଲଳିତଙ୍କ ସ୍ଥାନ ନେବେ। ତାଙ୍କ ପିତା ୨ ଫେବୃଆରୀ ୧୯୭୮ ରୁ ୧୧ ଜୁଲାଇ ୧୯୮୫ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଭାବରେ ଦାୟିତ୍ବ ତୁଲାଇଥିଲେ। ଯାହାକି ସୁପ୍ରିମକୋର୍ଟ ଇତିହାସରେ କୌଣସି ପ୍ରଧାନ ବିଚାରପତିଙ୍କ ସବୁଠୁ ଲମ୍ବା କାର୍ଯ୍ୟକାଳ ରହିଥିଲା।
ବିଚାରପତି ଚନ୍ଦ୍ରଚୂଡ଼ ୧୧ ନଭେମ୍ବର ୧୯୫୯ ରେ ଜନ୍ମ ହୋଇଥିଲେ ଏବଂ ୧୩ ମେ ୨୦୧୬ ରେ ସୁପ୍ରିମକୋର୍ଟର ବିଚାରପତି ଭାବରେ ପଦୋନ୍ନତି ହୋଇଥିଲେ। ସେ ଅନେକ ଐତିହାସିକ ରାୟ ଶୁଣାଇଛନ୍ତି। ଏଥିରେ ଗୁରୁତ୍ବପୂର୍ଣ୍ଣ ଅଯୋଧ୍ୟା ଭୂମି ବିବାଦ, ଆଇପିସି ଧାରା ୩୭୭ ଅନୁଯାୟୀ ସମଲିଙ୍ଗୀ ସମ୍ବନ୍ଧକୁ ଅପରାଧ ଶ୍ରେଣୀରୁ ବାହାର କରିବା, ଆଧାର ଯୋଜନାର ବୈଧତା ସହ ଜଡ଼ିତ ମାମଲା, ସାବରିମାଳା ମନ୍ଦିର ପ୍ରସଙ୍ଗ, ସେନାର ମହିଳା ଅଧିକାରୀଙ୍କ ସ୍ଥାୟୀ କମିଶନ ଦେବା, ଭାରତୀୟ ନେସେନାରେ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ଭଳି ନିଷ୍ପତ୍ତି ସାମିଲ୍ ରହିଛି।
ବିଚାରପତି ଚନ୍ଦ୍ରଚୂଡ଼ ୨୯ ମାର୍ଚ୍ଚ ୨୦୦୦ ରୁ ୩୧ ଅକ୍ଟୋବର ୨୦୧୩ ପର୍ଯ୍ୟନ୍ତ ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ରହିଥିଲେ। ଦିଲ୍ଲୀ ସେଣ୍ଟ ଷ୍ଟିଫେନ୍ସ କଲେଜ୍ରୁ ଅର୍ଥନୀତିରେ ବିଏ ଅନର୍ସ କରିବା ପରେ ସେ କ୍ୟାମ୍ପସ ଲ ସେଣ୍ଟର ଦିଲ୍ଳୀ ବିଶ୍ବବିଦ୍ୟାଳୟ ରୁ ଏଲଏଲବି କରିଥିଲେ ଏବଂ ଆମେରିକାର ହାଭାର୍ଡ ଲ ସ୍କୁଲ୍ରୁ ଏଲଏଲଏମ ଏବଂ ନ୍ୟାୟିକ ବିଜ୍ଞାନରେ ଡକ୍ଟରେଟ୍ ଉପାଧି ପ୍ରାପ୍ତ କରିଥିଲେ।
