ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜିଠାରୁ ୭ଦିନ ଧରି ବନ୍ଦ ରହିବ ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ବାର। ଏହି ଦ୍ଵାରରେ ନୂତନ କବାଟ ଲାଗିବାକୁ ଥିବାରୁ ଏହାକୁ ବନ୍ଦ ରଖାଯିବ। ଆଜି ଅର୍ଥାତ୍ ଗୁରୁବାର ଅପରାହ୍ନଠାରୁ ଭକ୍ତ ଓ ସେବାୟତମାନେ ଉତ୍ତର ଦ୍ବାର ମଧ୍ୟ ଦେଇ ଯିବା ଆସିବା କରିବେ। ଏଥିପାଇଁ ଏଏସ୍ଆଇ ପକ୍ଷରୁ ମନ୍ଦିର ଉତ୍ତର ଦ୍ବାର ପଟେ ବ୍ୟାରିକେଡ୍ କରାଯିବା ସହ, ଇଲେକ୍ଟ୍ରି ଲାଇଟ୍ ଲଗାଇବା, ମରାମତି ଓ ସଫେଇ କାର୍ଯ୍ୟ ମଧ୍ୟ କରାଯାଇଛି।
ଆଜି ଅପରାହ୍ନ ସୁଦ୍ଧା ଏହି କାମ ସରିବା ପରେ ଉତ୍ତର ପଟେ ଯିବା ଆସିବା ଆରମ୍ଭ ହେବ। ସିଂହଦ୍ବାରରେ ପ୍ରଥମେ ଏକ ଅସ୍ଥାୟୀ କବାଟ ଲଗାଯାଇ ପରୀକ୍ଷା କରାଯିବ। ଏହା ପରେ ଶାଗୁଆନ କାଠରେ ପ୍ରସ୍ତୁତ କବାଟ ଲଗାଯିବ। ତେବେ ଆସନ୍ତା ୧୬ତାରିଖରେ ପ୍ରଥମାଷ୍ଟମୀ ପଡ଼ୁଥିବାରୁ ଠାକୁର ସିଂହଦ୍ବାର ମଧ୍ୟ ଦେଇ ମୈତ୍ରେଶ୍ବର ମନ୍ଦିରକୁ ଯିବେ। ତେଣୁ ୧୬ ତାରିଖ ସୁଦ୍ଧା ଏହି କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।
କାମ ସରିନଥିଲେ ପୁଣି ୧୭ତାରିଖରୁ ସିଂହଦ୍ବାର ୭ ଦିନ ବନ୍ଦ କରି କାମ ହେବ। ଏଥିପାଇଁ ଦୁଇ ଦ୍ବାରରେ ପୁଲିସ ମୁତୟନ କରାଯିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ଥାନାକୁ ଚିଠି କରାଯାଇଛି। ମନ୍ଦିର ପ୍ରଶାସନ ମଧ୍ୟ ଏ ସମ୍ପର୍କରେ ବିଭିନ୍ନ ନିଯୋଗକୁ ଚିଠି କରିଛି। ଏଏସ୍ଆଇ ପକ୍ଷରୁ ପୂର୍ବରୁ ବନ ଉନ୍ନୟନ ନିଗମରୁ କାଠ ଅଣାଯାଇ କବାଟ କାମ ଶେଷ ହୋଇଛି। ୧୫ଫୁଟ୍ ଲମ୍ବ ଓ ୫ଫୁଟ୍ ଚଉଡ଼ାରେ ୮୨ ସିଫ୍ଟ କାଠରେ ଏହି କବାଟ କାମ ହୋଇଛି।
ସୂଚନାଯୋଗ୍ୟ ଯେ, ଲିଙ୍ଗରାଜ ମନ୍ଦିର ସିଂହଦ୍ବାରରେ ୧୯୮୦ମସିହାରେ ପିତ୍ତଳ ଛାଉଣି କରାଯାଇଥିଲା। ଏନେଇ ଏଏସ୍ଆଇ ଅଧୀକ୍ଷକ ଅରୁଣ କୁମାର ମଲିକ କହିଛନ୍ତି କି ନୂତନ କବାଟ ପ୍ରସ୍ତୁତ ସରିଛି। ପୂର୍ବରୁ ଥିବା ପିତ୍ତଳ ପ୍ଲେଟ୍କୁ ଲଗାଇ ଏବେ କାମ ହେବ।





