ଜାକର୍ତା: ଇଣ୍ଡୋନେସିଆରେ ଅନୁଷ୍ଠିତ ହେବ ‘ଗ୍ରୁପ୍ ଅଫ୍ ଟ୍ବେଣ୍ଟି’ (ଜି-୨୦) ଶିଖର ସମ୍ମିଳନୀ । ଆସନ୍ତା ସପ୍ତାହରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ । ତେବେ ଆୟୋଜିତ ଏହି ସମ୍ମିଳନୀରେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ ଯୋଗ ଦେବେନାହିଁ ବୋଲି ଆଜି ଜଣେ ଇଣ୍ଡୋନେସୀୟ ସରକାରୀ ଅଧିକାରୀ କହିଛନ୍ତି।
ୟୁକ୍ରେନ୍ରେ ଚଳାଇଥିବା ଯୁଦ୍ଧ ଯୋଗୁଁ ସେ ଆମେରିକା ଓ ତା’ର ମିତ୍ର ରାଷ୍ଟ୍ରମାନଙ୍କ ସହ ସମ୍ମୁଖୀନ ହେବା ସମ୍ଭାବନାକୁ ଏଡ଼ାଇବା ପାଇଁ ପୁଟିନ୍ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ଅନୁମାନ କରାଯାଉଛି।
ନଭେମ୍ବର ୧୫ରେ ବାଲିରେ ଆୟୋଜନ ହେବାକୁ ଥିବା ଏହି ଦୁଇଦିନିଆ ଶିଖର ସମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍, ଚୀନା ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ସମେତ ଅନ୍ୟ ବିଶ୍ବନେତାମାନେ ଯୋଗ ଦେବେ।
ଗତ ଫେବ୍ରୁଆରି ମାସରେ ରୁଷ୍ ୟୁକ୍ରେନ୍ ଆକ୍ରମଣ କରିବା ପରଠାରୁ ଏହି ଶିଖର ସମ୍ମିଳନୀରେ ବାଇଡେନ୍ ଓ ପୁଟିନ ପ୍ରଥମ ଥର ଲାଗି ଏକତ୍ର ହୋଇଥାଆନ୍ତେ।
‘ଜି-୨୦’ କାର୍ଯ୍ୟକ୍ରମର ‘ଚିଫ୍ ଅଫ୍ ସପୋର୍ଟ’ ଲୁହୁତ୍ ବିନ୍ସାର୍ ପାଣ୍ଡଜୈତାନ୍ ଇଣ୍ଡୋନେସିଆର ଦେନ୍ପାସାର୍ରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ଏହି ସମ୍ମିଳନୀକୁ ଆସୁଥିବା ରୁଷୀୟ ପ୍ରତିନିଧି ଦଳର ନେତୃତ୍ବ ନେବେ ରୁଷ୍ର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ୍।
ସେ ଆହୁରି ମଧ୍ୟ କହିଛନ୍ତି, ରୁଷ୍ ସରକାରଙ୍କ ନିଷ୍ପତ୍ତିକୁ ଇଣ୍ଡୋନେସୀୟ ସରକାର ସମ୍ମାନ ଦେଉଛନ୍ତି। ଶିଖର ବୈଠକରେ ଯୋଗ ନ ଦେବାର କାରଣ ପୂର୍ବରୁ ନିଜେ ପୁଟିନ୍ ପୂର୍ବରୁ ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କୁ ଟେଲିଫୋନ୍ ଯୋଗେ ଅତି ଆତ୍ମୀୟ ଭାବେ କଥାବର୍ତ୍ତା କରି ବୁଝାଇ ଦେଇଛନ୍ତି।
‘ଜି-୨୦’ ଆୟୋଜନ କରିଥିବା ୱିଡୋଡୋ କହିଛନ୍ତି ଯେ, ଆମର ଆଶା ଦୁଇ ଦେଶର ନେତାଙ୍କ ମଧ୍ୟରେ ଉତ୍ତମ ଆଲୋଚନା ହିଁ ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ସୃଷ୍ଟ ଉତ୍ତେଜନା ହ୍ରାସ କରାଇବାରେ ସହାୟକ ହେବ ବୋଲି ପାଣ୍ଡଜୈତାନ୍ କହିଛନ୍ତି।
