ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୁଜରାଟରେ ନିର୍ବାଚନୀ ବିଗୁଲ୍ ବାଜି ସାରିଛି। ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ଭୋଟିଂ ହେବ। ଭାରତୀୟ ଜନତା ପାର୍ଟି (ବିଜେପି) ଗୁରୁବାର ଏହାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ବିଜେପିର ରାଷ୍ଟ୍ରୀୟ ମହାସଚିବ ଦୁଷ୍ମନ୍ତ କୁମାର ଗୌତମ ଗୁଜରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ୧୬୦ ଆସନର ଆଶାୟୀମାନଙ୍କ ନାମ ଘୋଷଣା କରିଛନ୍ତି।
ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଘାଟଲୋଡିୟାରୁ ନିର୍ବାଚନ ଲଢ଼ିବେ। ସେହିପରି କଂଗ୍ରେସ ଛାଡ଼ି ବିଜେପିକୁ ଆସିଥିବା ହାର୍ଦ୍ଦିକ ପଟେଲ ବିରାମଗାମରୁ ଦଳର ଆଶାୟୀ ହୋଇଛନ୍ତି। ସେପଟେ କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀଙ୍କୁ ଜାମନଗର ଉତ୍ତରରୁ ଟିକେଟ୍ ମିଳିଛି।
ତେବେ ବର୍ତ୍ତମାନ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ଗୁଜୁରାଟର ମୋରବି ଆସନ। ଏଠାରେ କିଛି ଦିନ ତଳେ ଝୁଲାପୋଲ ଛିଡ଼ିବା ଫଳରେ ୧୪୧ ରୁ ଉର୍ଦ୍ଧ ଲୋକ ନଦୀରେ ପଡ଼ି ମୃତ୍ୟୁବରଣ କରିଥିଲେ। ଏହି ଘଟଣା ପାଇଁ ରାଜ୍ୟର ବିଜେପି ସରକାର ବ୍ୟକଫୁଟରେ ରହିଛି । ବିରୋଧୀ ମାନେ ମଧ୍ୟ ଏହି ଘଟଣାକୁ ନିର୍ବାଚନୀ ପ୍ରସଙ୍ଗ କରିଛନ୍ତି। ତେବେ ଏଠି ବିଜେପି ଆଶାୟୀମାନଙ୍କ ତାଲିକାରେ ମୋରବିର ବର୍ତ୍ତମାନର ବିଧାୟକଙ୍କ ଟିକେଟ୍ କାଟି ଦିଆଯାଇଛି। ତାଙ୍କ ଜାଗାରେ ବିଜେପି ମୋରବିର ପୂର୍ବତନ ବିଧାୟକ କାନ୍ତିଲାଲ୍ ଅମୃତିୟାଙ୍କୁ ଟିକେଟ୍ ଦେଇ ନିର୍ବାଚନୀ ମଇଦାନକୁ ଆଣିଛି। ବିଜେପି ତାଙ୍କୁ ମୋରବିରୁ ଦଳୀୟ ପ୍ରାର୍ଥୀ କରିଛି। କାନ୍ତିଲାଲ୍ ଅମୃତିୟାଙ୍କ ବିଷୟରେ କୁହାଯାଉଛି କି, ଯେଉଁ ସମୟରେ ମୋରବିରେ ଝୁଲାପୋଲ ଦୁର୍ଘଟଣା ଘଟିଥିଲା, ସେହି ସମୟରେ ସେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ନଦୀକୁ ଡେଇଁ ପଡ଼ିଥିଲେ ଓ ଅନେକ ଲୋକଙ୍କ ଜୀବନ ବଞ୍ଚାଇଥିଲେ । ବିଜେପି କାନ୍ତିଲାଲ୍ ଅମୃତିୟାଙ୍କୁ ଏଠାରେ ପ୍ରାର୍ଥୀ କରି ବିରୋଧୀ ମାନଙ୍କୁ ମୋରବି ଘଟଣାରେ ଚେକ୍ ଦେବାକୁ ଚେଷ୍ଟା କରିଛି ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ଦେଇଛନ୍ତି।
ସେପଟେ ଗୁଜରାଟ ନିର୍ବାଚନକୁ ନେଇ ବିଜେପିର ଅନେକ ବରିଷ୍ଠ ନେତା ଏଥର ନିର୍ବାଚନ ଲଢ଼ିବାକୁ ମନା କରି ଦେଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ନିର୍ବାଚନ ନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ପୂର୍ବତନ ଡେପୁଟୀ ସିଏମ୍ ନିତିନ୍ ପଟେଲ, ପୂର୍ବତନ ମନ୍ତ୍ରୀ ସୌରଭ ପଟେଲ, ପ୍ରଦୀପ ଜାଡେଜା ମଧ୍ୟ ଏଥର ନିର୍ବାଚନ ଲଢ଼ିବେ ନାହିଁ। ଗୁଜରାଟର ପାଖାପାଖି ୮ ଜଣ ପୂର୍ବତନ ମନ୍ତ୍ରୀ ନିର୍ବାଚନ ଲଢ଼ିବେ ନାହିଁ।
