ଭୁବନେଶ୍ଵର ( ସତ୍ୟପାଠ ବ୍ୟୁରୋ ): ଗୁଜୁରାଟ ବିଧାନସଭା ଲଢେଇ ପାଇଁ ଏବେ କମ୍ପୁଛି ପ୍ରଚାର ମଇଦାନ। ନାମାଙ୍କନ ଦାଖଲ ପରେ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀମାନେ ହାଇଭୋଲଟେଜ ପ୍ରଚାରରେ ଲାଗିଛନ୍ତି ।ଏସବୁ ଭିତରେ ଏବେ ଜଣେ ବିଜେପି ପ୍ରାର୍ଥୀଙ୍କ ନିଆରା ନିର୍ବାଚନ ପ୍ରଚାର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଗୁଜୁରାଟ ନଦିୟାଦ ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ପଙ୍କଜଭାଇ ଦେସାଇ ପ୍ରଚାର କାର୍ଯ୍ୟରେ ଡିଜିଟାଲ ରୋବଟ ଟେକନିକ୍ ଆପଣାଇଛନ୍ତି । ରୋବଟ ସାହାଯ୍ୟରେ ଦେସାଇ ପ୍ରଚାର କରୁଛନ୍ତି । ରୋବଟଟି ବୁଲି ବୁଲି ପ୍ରାର୍ଥୀଙ୍କ ପାଇଁ ଲୋକଙ୍କୁ ପାମ୍ପ୍ଲେଟ ବାଣ୍ଟୁଥିବାର ଦେଖାଯାଇଛି । ଯାହାକୁ ଦେଖି ସାଧାରଣ ଲୋକେ ଖୁବ୍ ଆଶ୍ଚର୍ଯ୍ୟ ହେଉଛନ୍ତି ।

ଏହି ନିଆରା ପ୍ରଚାରକୁ ନେଇ ବିଜେପି ପ୍ରାର୍ଥୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଜିଟାଲ ଇଣ୍ଡିଆ ସ୍ବପ୍ନ ସାକାର କରିବାକୁ ସେ ରୋବଟର ବ୍ୟବହାର କରୁଛନ୍ତି । ଏହାକୁ ମିଶାଇ ପଙ୍କଜଭାଇ ଦେସାଇ ୬ ଷଷ୍ଠ ଥର ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବୀତା କରୁଛନ୍ତି । କିଛି ଦିନ ତଳେ ଗୁରୁରାଟରୁ ଏହିଭଳି କିଛି ଅଜବ ଦୃଶ୍ୟ ସାମ୍ନାକୁ ଆସିଥିଲା । ବିଭିନ୍ନ ଦଳରୁ ଟିକେଟ ପାଇଥିବା ପ୍ରାର୍ଥୀମାନେ ସାଇକେଲ, ଘୋଡା, ବଳଦଗାଡି ଓ ଓଟ ପିଠିରେ ବସି ନାମାଙ୍କନ ଦାଖଲ କରିବାକୁ ଯାଇଥିଲେ ।

ଉଲ୍ଲେଖଯୋଗ୍ୟ, ୧୮୨ ଆସନ ବିଶିଷ୍ଟ ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଡିସେମ୍ବର ୧ରେ ପ୍ରଥମ ପର୍ଯ୍ୟାୟ ମତଦାନ ଓ ୫ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ଡିସେମ୍ବର ୮ ତାରିଖରେ ଭୋଟ ଗଣତି କରାଯିବ ।